ଆର୍‌ୟନ୍‌ଙ୍କ ଜାମିନ ଆବେଦନର ଶୁଣାଣି ଆରମ୍ଭ, ଆଜି ନ ମିଳିଲେ ୧୯ ଯାଏ ରହିବେ ଜେଲରେ

ମୁମ୍ବାଇ: ‘ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌’ ଆସି ପହଞ୍ଚିବା ପରେ ସମ୍ପ୍ରତି ମୁମ୍ବାଇ ଅଦାଲତରେ ଆର୍‌ୟନ୍‌ ଖାଁଙ୍କ ଜାମିନ ଆବେଦନର ଶୁଣାଣି ଆରମ୍ଭ ହୋଇଛି। ଆଜି ଯଦି ତାଙ୍କୁ ଜାମିନ ନ ମିଳେ ତେବେ, ସେ ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ।

‘ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌’ ମାମଲାରେ ଆନ୍ତର୍ଜାତିକ ‘ଲିଙ୍କ୍‌’ ଥିବା କଥା ‘ଏନ୍‌ସିବି’ ଓକିଲ ତଥା ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ଅନୀଲ ସିଂହ କହିଛନ୍ତି। ଏହାଛଡ଼ା, ଆର୍‌ୟନ୍‌ ଖାଁ ପ୍ରଥମ କରି ଡ୍ରଗ୍‌ ଖାଇ ନାହାନ୍ତି, ସେ କିଛି ବର୍ଷ ହେବ ନିୟମିତ ଡ୍ରଗ୍‌ ଖାଇ ଆସୁଛନ୍ତି। ଏହାର ପ୍ରମାଣ ‘ହ୍ଵାଟ୍ସ୍‌ଆପ୍‌ ଚାଟ୍‌’ ଏବଂ ‘ଫଟୋ’ ବୋଲି ‘ଏନ୍‌ସିବି’ ଓକିଲ କହିଛନ୍ତି। ଅର୍ବାଜ୍‌ ମର୍ଚାଣ୍ଟ୍‌ଙ୍କ ପାଖରୁ ଜବତ ହୋଇଥିବା  ଡ୍ରଗ୍‌ ଆର୍‌ୟନ୍‌ଙ୍କ ପାଇଁ ହିଁ ଆସିଥିଲା ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ତେଣୁ, ଆର୍‌ୟନ୍‌ ଖାନ୍‌ଙ୍କ ପାଖରୁ କୌଣସି ଡ୍ରଗ୍‌ ମିଳିନାହିଁ କହିବା ଠିକ୍‌ ନୁହେଁ।

‘ଏନ୍‌ସିବି’ ତରଫରୁ ‘ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌’ ପହଞ୍ଚି ନ ଥିବାରୁ ମୁମ୍ବାଇ ଅଦାଲତରେ ଆର୍‌ୟନ୍‌ ଖାନ୍‌ଙ୍କ ଜାମିନ ଆବେଦନ ଶୁଣାଣିରେ ବିଳମ୍ବ ହେଉଛି ବୋଲି ତାଙ୍କ ଓକିଲ ଅମିତ ଦେଶାଇ ଏବଂ ତାଙ୍କ ଟିମ୍‌ କିଛି ସମୟ ପୂର୍ବରୁ କହିଥିଲେ। ‘ଏନ୍‌ସିବି’ ଓକିଲ ଚିମଲ୍‌କର୍‌ କହିଥିଲେ, ସେ ବମ୍ବେ ହାଇକୋର୍ଟରୁ ଆସୁଛନ୍ତି। ଦିନ ୧ଟା ସୁଦ୍ଧା ପହଞ୍ଚିବା କଥା।

Image Courtesy of News18

କିନ୍ତୁ, ଅପରାହ୍ଣ ୧ ସୁଦ୍ଧା ସେ ଅଦାଲତରେ ପହଞ୍ଚି ନ ଥିଲେ। ‘ଏନ୍‌ସିବି’ ହାଜତରେ ୧୨ ଦିନ ଏବଂ ଜେଲ୍‌ରେ ୭ ଦିନ ବିତାଇଥିବା ଆର୍‌ୟନ୍‌ଙ୍କ ପାଇଁ ଆଜିର ଜାମିନ ଶୁଣାଣି ଖୁବ୍‌ ଗୁରତ୍ୱପୂର୍ଣ୍ଣ। ଶୁଣାଣି ପାଇଁ ମଧ୍ୟାହ୍ନ ସୁଦ୍ଧା ‘ଏନ୍‌ସିବି’ର କେତେକ ଅଧିକାରୀ ଅଦାଲତରେ ହାଜର ହୋଇଥିଲେ ମଧ୍ୟ ଓକିଲ ଆସି ନାହାନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ବାହାରୁ ପୋଷାକପତ୍ର ଆଣି ପିନ୍ଧିବାକୁ ଆର୍‌ୟନ୍‌ଙ୍କୁ ଅନୁମତି ମିଳିଛି। କିନ୍ତୁ, ସେ କେବଳ ଜେଲ୍‌ରେ  ଦିଆଯାଉଥିବା ମିଳୁଥିବା ଖାଦ୍ୟ ଖାଇବେ ବୋଲି କୁହାଯାଇଛି। ତେଣୁ, ଜେଲ୍‌ ନିୟମ ଅନୁସାରେ ସେ କ୍ୟାଣ୍ଟିନ୍‌ କୁପନ୍‌ ବ୍ୟବହାର କରି ସ୍ନାକ୍ସ୍‍, ବିସ୍କୁଟ୍‌, ପାଣି ବୋତଲ ଆଣୁଛନ୍ତି। ଏହା ବ୍ୟତିରେକେ, ତାଙ୍କୁ ମୁମ୍ବାଇ ଆର୍ଥର୍‌ ଜେଲ୍‌ର ‘କ୍ୱାରେଣ୍ଟିନ୍‌ ବାରାକ’୍‌ରୁ ‘କମନ୍‌ ସେଲ୍‌’କୁ ସ୍ଥାନାନ୍ତରଣ କରାଯାଇଛି। ଗତକାଲି ତାଙ୍କର ‘ସ୍ୱାବ୍‌’ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ତାହା ‘ନେଗେଟିଭ୍‌’ ଆସିଥିବା କଥା ଜେଲ୍‌ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର