ବିବାହର ପ୍ରତିଶ୍ରୁତି ଦେଇ ବର୍ଷେ ପର୍ଯ୍ୟନ୍ତ ମହିଳା ସବ୍ ଇନ୍ସ୍ପେକ୍ଟରଙ୍କ ସହ ଶାରୀରିକ ସଂପର୍କ ରଖୁଥିଲେ ସବଇନସ୍ପେକ୍ଟର
ହରଦା(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶର ହର୍ଦାରେ ଜଣେ ମହିଳା ସବ୍ଇନ୍ସ୍ପେକ୍ଟର ଜନୈକ ସବ୍ଇନ୍ସ୍ପେକ୍ଟରଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ଏସ୍ଆଇ ତାଙ୍କ ସହ ଶାରୀରିକ ସଂପର୍କ ରଖୁଥିବା କହିଛନ୍ତି ପୀଡ଼ିତା । ଏହା ସହ ସେ ୩ ଥର ଗର୍ଭପାତ କରିଥିବା ନେଇ ଅଭିଯୋଗ କରି ପୁଲିସ ଷ୍ଟେସନରେ ଗୁରୁବାର ଏତଲା ଦେଇଛନ୍ତି । ପୀଡ଼ିତା ଅଭିଯୁକ୍ତ ଏସ୍ଆଇ ଉମେଶ ରଘୁବଂଶୀ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଜଣାପଡ଼ିଛି । ଅଭିଯୋଗ ପାଇ ପୁଲିସ ଅଭିଯୁକ୍ତ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିବା ପାଇଁ ପହଞ୍ଚିବା ବେଳକୁ ସେମାନେ ଫେରାର ହୋଇ ସାରିଥିବା କହିଛି ପୁଲିସ ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ କହିବା ଅନୁଯାୟୀ, ହରଦା ଥାନାରେ ଦୁହେଁ କାମ କରୁଥିବା ବେଳେ ଉମେଶ ପୀଡ଼ିତାଙ୍କୁ କାମ ଶିଖାଇବା ବାହାନାରେ ତାଙ୍କ ନିକଟତର ହୋଇଥିଲେ । ଏହା ପରେ ସୁବିଧା ଦେଖି ସେ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିବାହିତ ବୋଲି ଜାଣି ପୀଡ଼ିତା ଶାରୀରିକ ସଂପର୍କ ରଖିବାକୁ ମନା କରି ଦେଇଥିଲେ । ଏହା ଶୁଣି ମୁଁ ମୋ ସ୍ତ୍ରୀ ସହ ରହିବାକୁ ଚାହୁଁ ନାହିଁ ଖୁବ୍ ଶୀଘ୍ର ତାଙ୍କୁ ଛାଡ଼ପତ୍ର ଦେଇ ତୁମକୁ ବିବାହ କରିବି ବୋଲି କହି ଉମେଶ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ଏ ମଧ୍ୟରେ ପୀଡ଼ିତା ଗର୍ଭବତୀ ହେବାରୁ ଉମେଶ ଡ଼ାକ୍ତରଖାନା ନେଇ ଗର୍ଭପାତ କରାଇ ଦେଇଥିଲେ । ତା’ ପରେ ବିବାହ କଥା କହିବାରୁ ଉମେଶ ବାରମ୍ବାର କଥା ବଦଳାଇ ଦେଉଥିଲେ । ୩ ଥର ଗର୍ଭପାତ ହେବା ପରେ ପୀଡ଼ିତା ରାଗରେ ତାଙ୍କ ଘରେ ପହଞ୍ଚି ପାଟି ତୁଣ୍ଡ କରିବାରୁ ଉମେଶ ଏବଂ ତାଙ୍କ ସ୍ତ୍ରୀ ପୀଡ଼ିତାଙ୍କୁ ଘର ଭିତରକୁ ଟାଣି ନେଇ ମାଡ଼ ମାରିଥିଲେ । ଏତେ ସବୁ ହେବା ପରେ ପୀଡ଼ିତା ଗୁରୁବାର ନିଜ ମା’ଙ୍କ ସହ ପୁଲିସ ଷ୍ଟେସନ ଯାଇ ଉମେଶ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।