ନାବାଳିକା ଆତ୍ମହତ୍ୟା ଘଟଣା: ଭାପୁର ଫାଣ୍ଡି ଏଏସଆଇ ନିଲମ୍ବିତ

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଏଏସଆଇଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଭାପୁର ଏଏସଆଇ ପଦ୍ମନାଭ ସାହୁ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ଉତ୍ତର କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ ଏଏସଆଇ ଶ୍ରୀ ସାହୁଙ୍କୁ ନିଲମ୍ବନ କରିଥିବା ଜଣାଯାଇଛି ।
ସୂଚନା ଅନୁସାରେ ସ୍ଥାନୀୟ ଅଂଚଳର ଜଣେ ନାବାଳିକା ନିଜ ଗାଁର ଜଣେ ଯୁବକଙ୍କ ଦ୍ୱାରା ଗତ ୬ ତାରିଖରେ ଅସଦାଚରଣର ଶିକାର ହେବା ପରେ ଭାପୁର ଫାଣ୍ଡିରେ ପରିବାର ଲୋକେ ସେଦିନ ଏତଲା ଦେଇଥିଲେ । କିନ୍ତୁ ସଂପୃକ୍ତ ଯୁବକଙ୍କୁ ପୁଲିସ ସୁରକ୍ଷା ଦେବାକୁ ଯାଇ ନାବାଳିକାର ଏତଲାକୁ ଗୁରୁତ୍ୱ ଦେଇ ନଥିଲା । ଫଳରେ ନାବାଳିକା ପ୍ରାୟ ଏକ ମାସ ପର୍ଯ୍ୟନ୍ତ ମାନସିକ ଭାରସାମ୍ୟ ହରାଇବା ପରେ ଶେଷରେ ବିଷ ପିଇ ଜୀବନ ହାରିଥିବା ପରିବାର ଲୋକେ ଆଜି ଏସ୍‌ପିଙ୍କ ନିକଟରେ ଅଭିଯୋଗ ଆଣିଥିଲେ ।

ରିପୋର୍ଟ ଅନୁସାରେ ଗତ ୬ ତାରିଖରେ ନାବାଳିକା ଜଣକ ଯୁବକଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିଲେ । ପରିବାର ଲୋକେ ଫାଣ୍ଡିରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା ବୋଲି ପରିବାର ଲୋକେ ଗଣମାଧ୍ୟମକୁ କହିଛନ୍ତି । ଯୁବକ ଜଣକ ଗତ ୨୮ ତାରିଖରେ ପୁଣି ଥରେ ନାବାଳିକାକୁ ଅସଦାଚରଣ କରିଥିଲା । ପରିବାର ଲୋକଙ୍କର ଅଭିଯୋଗ ଯେ, ଅସଦାଚରଣ ଘଟଣା ପରେ ଯୁବକ ଜଣକ ନାବାଳିକାକୁ ବାରମ୍ବାର ହଇରାଣ କରୁଥିଲା । ଏହି ଘଟଣାର ପୁନରାବୃତ୍ତି ହେଉଥିବାରୁ ଶେଷରେ ନାବାଳିକା ନିଯ୍ୟାତନା ସହି ନପାରି ଗତକାଲି ରାତିରେ ବିଷ ପିଇ ଆତ୍ମହତ୍ୟା କରଥିଲେ ।

ତେବେ ନାବାଳିକାର ଆତ୍ମହତ୍ୟା ନେଇ ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଅନୁପମା ଜେମ୍‌ସ କହିଛନ୍ତି, ଘଟଣାର ତଦନ୍ତ କରାଯିବ । ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ।

ସମ୍ବନ୍ଧିତ ଖବର