ସହକାରୀ ଡାକ ନିରୀକ୍ଷକଙ୍କୁ ଏକ ବର୍ଷ ଜେଲ୍‌ ଦଣ୍ଡ

ନିଯୁକ୍ତି ପାଇଁ ଲାଞ୍ଚ ନେବା ଘଟଣା

ଭୁବନେଶ୍ୱର : ଜଣେ ବେକାର ଯୁବକଙ୍କୁ ଗ୍ରାମୀଣ ଡାକ ସେବକ ପଦବିରେ ନିଯୁକ୍ତି ପାଇଁ ଲାଞ୍ଚ ନେବା ମାମଲାର ଶୁଣାଣି କରି ଆଜି ସ୍ୱତନ୍ତ୍ର ସିଜେଏମ୍‌(ସିବିଆଇ) ସ୍ୱରୂପ କୁମାର ମିଶ୍ର ଭଦ୍ରକ ସହକାରୀ ଡାକ ନିରୀକ୍ଷକ ଧୀରେନ୍‌ ସାହୁ(୫୫)ଙ୍କୁ ଏକ ବର୍ଷ ଜେଲ୍‌ ଦଣ୍ଡ ଦେବା ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ତାଙ୍କ ଘର ଯାଜପୁର ଜିଲ୍ଲାରେ। ସେ ୨୦୧୪ ମସିହାରେ ଭଦ୍ରକ ପୋଷ୍ଟାଲ୍‌ରେ ସହକାରୀ ଡାକ ନିରୀକ୍ଷକ ଭାବେ କାର୍ଯ୍ୟରତ ଥିଲେ। ବର୍ତ୍ତମାନ ସମ୍ବଲପୁର ସହକାରୀ ଡାକ ନିରୀକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ମାମଲାରେ ୧୭ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ୪୬ଟି ତଥ୍ୟକୁ ଭିତ୍ତି କରି ବିଚାରପତି ଏପରି ରାୟ ଦେଇଛନ୍ତି। ଦୁର୍ନୀତି ନିବାରଣ ଆଇନ୍‌ର ଧାରା ୭, ଧାରା ୧୩(୧),(ଘ)ରେ ଏକ ବର୍ଷ ଜେଲ୍‌ ଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ହୋଇଛି। ଯଦି ଜରିମାନା ଅନାଦାୟ ହୁଏ ତେବେ ୨ ମାସ ଅଧିକ ଦଣ୍ଡ ଭୋଗିବାକୁ ପଡ଼ିବ।

ମାମଲାରୁ ଜଣା ପଡ଼ିଛି ଯେ, ଗତ ୨୦୧୪ ମସିହାରେ ଅନ୍ତର୍ଯାମୀ ସାହୁ ନାମକ ଜଣେ ଯୁବକ ଗ୍ରାମୀଣ ଡାକ ସେବକ ଭାବେ ନିଯୁକ୍ତି ପାଇଥିଲେ। ତେବେ ତାଙ୍କ ପୋଷ୍ଟିଂ ପାଇଁ ଧୀରେନ୍‌ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଫଳରେ ଅନ୍ତର୍ଯାମୀ ୨୦୧୪ ମସିହା ସେପ୍ଟେମ୍ବର ୪ ତାରିଖରେ ମସିହାରେ ସିବିଆଇକୁ ଏ ବିଷୟରେ ଜଣାଇଥିଲେ। ସେପ୍ଟେମ୍ବର ୭ ତାରିଖରେ ଧୀରେନ୍‌ ଭଦ୍ରକ କାର୍ଯ୍ୟାଳରେ ଅନ୍ତର୍ଯାମୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଏନେଇ ୨୦୧୪ ଅକ୍ଟୋବର ୩୦ ତାରିଖରେ ସିବିଆଇ ପକ୍ଷରୁ ଚାର୍ଜଫ୍ରେମ୍‌ ହୋଇଥିଲା। ସିବିଆଇ ପକ୍ଷରୁ ସରକାରୀ ଓକିଲ ରାଜେଶ୍ୱର ହୋତା ମାମଲାର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର