ରିକ୍ସା ଚାଳକଙ୍କୁ ୩କୋଟି ଟଙ୍କା ଦେବାକୁ ଆୟକର ବିଭାଗର ନୋଟିସ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ମଥୁରାରେ ଜଣେ ରିକ୍ସା ଚାଳକଙ୍କୁ ଆୟକର ବିଭାଗ ନୋଟିସ ଦେଇଥିଲା। ଏହି ନୋଟିସ ପାଇବା ପରେ ରିକ୍ସା ଚାଳକ ସ୍ତବ୍ଧ ହୋଇଯାଇଥିଲେ। ଏହି ନୋଟିସ ଦେଇ ଆୟକର ବିଭାଗ ରିକ୍ସା ଚାଳକଙ୍କୁ ୩କୋଟି ଟଙ୍କା ଦେବାକୁ କହିଥିଲା। ଏହାପରେ ରିକ୍ସା ଚାଳକ ଉକ୍ତ ନୋଟିସ ଧରି ପୁଲିସ ନିକଟରେ ପହଞ୍ଚି ଯାଇଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ବାକଲପୁର ଅଞ୍ଚଳରେ ଅମର କଲୋନି ନିବାସୀ ପ୍ରତାପ ସିଂ ଆଇଟି ବିଭାଗରୁ ନୋଟିସ ପାଇବା ପରେ ହାଇୱେ ଥାନାରେ ଏନେଇ ଏକ ମାମଲା ରୁଜୁ କରିଥିଲେ। ପୁଲିସ ଏହି ଘଟଣାରେ ଏଯାବତ ମାମଲା ରୁଜୁ କରିନାହିଁ। କିନ୍ତୁ ମାମଲା ଯାଞ୍ଚ କରାଯାଉଛି।

ତେବେ ସୋସିଆଲ ମିଡିଆ‌ରେ ଏକ ଭିଡିଓ ଅପଲୋଡ କରି ପ୍ରତାପ ସିଂହ ନିଜ ସହିତ ଘଟିଥିବା ଘଟଣାକୁ ଆଲୋଚନା କରିଛନ୍ତି। ପ୍ରତାପ କହିଛନ୍ତି, ମାର୍ଚ୍ଚ ୧୫ ତାରିଖରେ ସେ ବାକଲପୁରରେ ଜନସୁବିଧା କେନ୍ଦ୍ର ଓ ପାନକାର୍ଡ ପାଇଁ ଆବେଦନ କରିଥିଲେ। କାରଣ ବ୍ୟାଙ୍କ ତାଙ୍କୁ ପାନକାର୍ଡ ଜମା କରିବାକୁ କହିଥିଲା। ଜନ ସୁବିଧା କେନ୍ଦ୍ର ପକ୍ଷରୁ କୁହାଯାଇଥିଲା କି  ପାନକାର୍ଡ ଗୋଟିଏ ମାସ ମଧ୍ୟରେ ଆସିଯିବ। କିନ୍ତୁ ତାହା ଆସିଲା ନାହିଁ। ତାଙ୍କ ପାନକାର୍ଡଙ୍କୁ ସଞ୍ଜୟ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଦେଇ ଦିଆଯାଇଥିଲା।

ପ୍ରତାପ ଯେତେବେଳେ ବାରମ୍ବାର ପାନକାର୍ଡ ପାଇଁ ଜନସୁବିଧା କେନ୍ଦ୍ରକୁ ଯାଇଥିଲେ ସେଠାରେ ତାଙ୍କୁ ପାନକାର୍ଡର କଲର ପ୍ରିଣ୍ଟ ଦେଇ ଦେଇଥିଲେ। ରିକ୍ସା ଚାଳକ ଜଣକ ପଢ଼ାଲେଖା ନଥିବାରୁ ସେ ଏହି ପାନକାର୍ଡ ଆରିଜିନାଲ କି ଡୁପ୍ଲିକେଟ ତାହା ଜାଣି ପାରି ନଥିଲେ। ପ୍ରତାପଙ୍କୁ ଯେତେବେଳେ ଆଇଟି ଡିପାର୍ଟମେଣ୍ଟରୁ କଲ ଆସିଥିଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଆୟକର ବିଭାଗ ପ୍ରତାପଙ୍କୁ ୩,୪୭,୫୪,୮୯୬ ଟଙ୍କା ଦେବାକୁ କହିଥିଲେ। ପ୍ରତାପ ଯେତେବେଳେ କହିଥିଲେ ସେ ଜଣେ ରିକ୍ସା ଚାଳକ ତାଙ୍କ ନାମରେ ଏତେଗୁଡ଼ିଏ ଟଙ୍କାର ନୋଟିସ କିପରି ଆସିଲ? ଏହାପରେ ଅଧିକାରୀ ଏନେଇ ଥାନାରେ ମାମଲା ରୁଜୁ କରିବା ପାଇଁ ପ୍ରତାପଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର