ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ, ୩ ଗିରଫ

ଭୁବନେଶ୍ୱର : ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଦାଢ଼ଖାଇ ମନ୍ଦିର ଅଞ୍ଚଳରେ ଏକ ଏସ୍‌ବିଆଇ ଏଟିଏମ୍‌କୁ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଲକ୍ଷ୍ମୀସାଗର ଅଞ୍ଚଳର ପପୁନ ମାଝୀ (୨୩), ନନ୍ଦ ପରିଡ଼ା (୨୪) ଓ ମାନସ ଲେଙ୍କା (୨୩)।

ପୁଲିସ ସୂଚନା ମୁତାବକ, ଗତ ୧୭ ତାରିଖ ରାତି ପ୍ରାୟ ସାଢ଼େ ୪ଟା ସମୟରେ ପପୁନ, ନନ୍ଦ ଓ ମାନସ ଦାଢ଼ଖାଇ ମନ୍ଦିର ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ ଭାଙ୍ଗି ଟଙ୍କା ନେବାକୁ ଉଦ୍ୟମ କରିଥିଲେ। ହେଲେ କୌଣସି କାରଣରୁ ସେମାନେ ଟଙ୍କା ନେଇପାରି ନଥିଲେ। ସକାଳୁ ଏଟିଏମ୍‌ ଭାଙ୍ଗି ଥିବା ଦେଖି ସୁରକ୍ଷାକର୍ମୀ ବ୍ୟାଙ୍କକୁ ଜଣାଇଥିଲା। ମ୍ୟାନେଜର୍‌ ଯତୀନ୍ଦ୍ର ପଟ୍ଟନାୟକ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହ ପୁଲିସକୁ ଜଣାଇଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ସିସିଟିଭି ଫୁଟେଜ୍‌ରୁ ପୁଲିସ ୩ଜଣଙ୍କୁ ଚିହ୍ନଟ କରି ଆଜି ସେମାନଙ୍କୁ ଲକ୍ଷ୍ମୀସାଗର ଅଞ୍ଚଳରୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର