ପ୍ରତିଶୋଧ ପାଇଁ ଆକ୍ରମଣ : ଗଣ୍ଡମୁଣ୍ଡା ଛକରେ ଲଙ୍କାକାଣ୍ଡ, ଖଣ୍ଡା ଚୋଟରେ ୨ ଆହତ

ଖଣ୍ଡଗିରି : ପ୍ରତିଶୋଧ ପାଇଁ ଆକ୍ରମଣ। ଗତକାଲିର ରାଗ ଶୁଝାଇବାକୁ ଯାଇ ଆଜି ରାତି ପ୍ରାୟ ସାଢ଼େ ୮ଟାରେ ଗଣ୍ଡମୁଣ୍ଡା ଛକରେ ଘଟିଛି ଲଙ୍କାକାଣ୍ଡ। ଗତକାଲି ମାଡ଼ ଖାଇଥିବା ଗୋଷ୍ଠୀ ଆଜି ଅପରପକ୍ଷ ଉପରେ ଆକ୍ରମଣ କରି ଗୋଟିଏ ଦୋକାନ ସହ ଦୁଇଟି ବାଇକ୍‌ ଭାଙ୍ଗି ଚୂର୍‌ମାର କରିଛନ୍ତି ଓ ୩ ଜଣଙ୍କୁ ଆହତ କରିଛନ୍ତି। ଖଣ୍ଡାଚୋଟରେ ଅଶୋକ ବିଷୋୟୀ ଓ ଶଙ୍କର ସାହୁ ଆହତ ହୋଇଛନ୍ତି। ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି, କିନ୍ତୁ ଆକ୍ରମଣକାରୀମାନେ ଫେରାର୍‌ ହୋଇ ଯାଇଛନ୍ତି।

ସୂଚନାନୁସାରେ ଗତକାଲି ଡୁମୁଡୁମା ହାଉସିଂବୋର୍ଡ ଅଞ୍ଚଳର ସାଗର ମିଶ୍ର ଓ ତାଙ୍କ ଶଳା ସଂଜୀବ ରଥଙ୍କୁ ତାରିଣୀ ବସ୍ତିର କିଛି ଯୁବକ ଆକ୍ରମଣ କରିଥିଲେ। ତେଣୁ ଆଜି ସଂଜୀବ ଓ ତାଙ୍କର ପ୍ରାୟ ୨୦ ଜଣ ସହଯୋଗୀ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ଗଣ୍ଡମୁଣ୍ଡା ଛକରେ ଓମ୍‌ଫେଡ୍‌ ବୁଥ୍‌ କରିଥିବା ଚିତ୍ତରଂଜନ ରଣସିଂହ ଓରଫ୍‌ କାଳୁଙ୍କ ଦୋକାନ ଭିତରେ ପଶି ଫ୍ରିଜ୍‌ ଭାଙ୍ଗିବା ସହ ସମସ୍ତ ଜିନିଷପତ୍ର ଫିଙ୍ଗି ଦେଇଥିଲେ। ପାଖରେ ଥିବା ଦୁଇଟି ବାଇକ୍‌ ଭାଙ୍ଗି ପକାଇଥିଲେ। କାଳୁ, ଶଙ୍କର ସାହୁ, ଅଶୋକ ବିଷୋୟୀ ଗଣ୍ଡଗୋଳକାରୀମାନଙ୍କୁ ପ୍ରତିରୋଧ କରିବାକୁ ଉଦ୍ୟମ କରିବାରୁ ସେମାନେ ଅଶୋକ ଓ ଶଙ୍କରକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଫଳରେ ଅଶୋକଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସେହିଭଳି ଶଙ୍କର ବି ଖଣ୍ଡାଚୋଟରେ ଆହତ ହୋଇଥିଲେ। ଏହା ଦେଖି ଭୟରେ ସ୍ଥାନୀୟ ଲୋକେ ଛତ୍ରଭଙ୍ଗ ଦେଇଥିଲେ ଏବଂ ବଜାର ବନ୍ଦ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର