ଖଣ୍ଡଗିରି: ସୋମବାର ଅପରାହ୍‌ଣ ପ୍ରାୟ ୨ଟା ବେଳେ ଭରତପୁର ଗିରୀଶବିହାର ଛକରେ ଥିବା ଏକ ଓମ୍‌‌ଫେଡ୍‌ ପାର୍ଲର ମାଲିକ ସୁବାସ ସାହୁ(୫୦) ଓ ତାଙ୍କ ପୁଅ ଦୀପକ ଓରଫ ଦୀପୁଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଖଣ୍ଡା ଚୋଟରେ ସୁବାସଙ୍କ ବାମ ହାତ ପାପୁଲିରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଦୀପୁ ବର୍ତ୍ତି ଯାଇଛନ୍ତି। ଚିକିତ୍ସାଧୀନ ଥିବାରୁ ସନ୍ଧ୍ୟା ସୁଦ୍ଧା ସୁବାସ ଥାନାରେ ଅଭିଯୋଗ କରି ନଥି‌ଲେ ମଧ୍ୟ ପୁଲିସ ଦୁଇଜଣ ଗଣ୍ଡଗୋଳକାରୀଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

Advertisment

ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ଉକ୍ତ ଛକ ଦେଇ ଘରକୁ ଚାଲି ଚାଲି ଯାଉଥିବା ଜଣେ ଯୁବତୀଙ୍କୁ ୩ଜଣ ଯୁବକ ପିଛା କରି ହଇରାଣ କରୁଥିଲେ। ଯୁବତୀଜଣକ ବିକଳ ହୋଇ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ମାଗିଥିଲେ ବି ଉକ୍ତ ଅସାମାଜିକ ଯୁବକମାନଙ୍କୁ ପ୍ରତିରୋଧ କରିବାକୁ କେହି ସାହାସ ଜୁଟାଇ ପାରିନଥିଲେ। ସୁବାସ ଖଣ୍ଡଗିରି ଥାନାକୁ ଫୋନ୍‌ କରି ଜଣାଇବାରୁ ପିସିଆର୍ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। ପୁଲିସକୁ ଦେଖି ଯୁବକମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ସୁବାସ ପୁଲିସକୁ ଫୋନ୍‌ କରିଥିବା ଖବର ପାଇ ଆଜି ଉକ୍ତ ଯୁବକମାନେ ତାଙ୍କ ପାର୍ଲର ଉପରେ ଆକ୍ରମଣ କରିଥିଲେ। ୩ଜଣ ଯୁବକ ଏକ ବାଇକ୍‌ରେ ଆସି ହଠାତ୍ ପାର୍ଲରର ଜିନିଷପତ୍ର ଫୋପଡ଼ାଫିଙ୍ଗା କରିଥିଲେ। ଜଣେ ଦୁର୍ବୃତ୍ତ ଏକ ଖଣ୍ଡାରେ ସୁବାସଙ୍କୁ ହାଣିବାକୁ ଉଦ୍ୟମ କରିଥିଲା। ହାତ ଦେଖାଇ ଦେବାରୁ ଖଣ୍ଡା ଚୋଟ ତାଙ୍କ ବାମ ହାତ ପାପୁଲିରେ ବାଜିଥିଲା। ତେବେ ବାପ-ପୁଅଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିବାରୁ ଦୁର୍ବୃତ୍ତମାନେ ପଳାଇଥିଲେ।