ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା, ୩ ମାସ ପରେ ଅଭିଯୁକ୍ତ ଗିରଫ

ବାରଙ୍ଗ: ବାରଙ୍ଗ ଥାନା ଅନ୍ତର୍ଗତ ଦାଢ଼ାପାଟଣା ଗ୍ରାମରେ ତିନିମାସ ତଳେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ଆଜି ପୁଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତ ସ୍ଥାନୀୟ ଗଦେଇକୁଦ ବସ୍ତିର ପ୍ରଫୁଲ୍ଲ ରାଉତ ଓରଫ ବଗଲା (୩୨)ଙ୍କୁ କୋର୍ଟଚାଲାଣ କରାଯାଇଥିବା ପୁଲିସ୍ ସୂଚନା ଦେଇଛି। ପ୍ରକାଶଥାଉ କି, ଗତ ଅଗଷ୍ଟ ମାସ ୨ ତାରିଖ ଦିନ ପୂର୍ବଶତ୍ରୁତାରୁ ବଗଲା ଦାଢ଼ାପାଟଣା ଆଦିବାସୀ‌ ସାହିରେ ରହୁଥିବା ଦେବେନ୍ଦ୍ର ମହାରଣାଙ୍କ ଘରେ ପହଞ୍ଚି ତାଙ୍କ ପତ୍ନୀ ରୁପା ମହାରଣାଙ୍କୁ ଭଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଫଳରେ ରୁପାଙ୍କ ପେଟରୁ ଅନ୍ତବୁଜୁଳା ବାହାରି ଯାଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସଂଗେ ସଂଗେ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଦୀର୍ଘଦିନ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏ ସମ୍ପର୍କରେ ମହିଳାଙ୍କ ସ୍ବାମୀ ଦେବେନ୍ଦ୍ର ଥାନାରେ ଏତଲା ଦେଇଥିବା ବେଳେ ଅଭିଯୁକ୍ତ ‌ବଗଲା ଫେରାର ହୋଇଯାଇଥିଲା। ଆଜି ସେ କଟକରେ ଥିବା ବିଶ୍ବସ୍ତ ସୂତ୍ରରୁ ପୁଲିସ୍‌ ଖବର ପାଇଥିଲା। ଏହାପରେ ବାରଙ୍ଗ ପୁଲିସ୍‌ କଟକରେ ଚଢ଼ଉ କରି ଅଭିଯୁକ୍ତ ବଗଲାକୁ ଗିରଫ କରିଥିବା ଥାନା ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର