ଅଟୋ ଚାଳକଙ୍କୁ ମାଡ଼ମାରି ଜେଲ୍‌ ଗଲେ ଚାର୍ଟ ବ୍ୟବସାୟୀ

ଧଉଳି: ଗାଡ଼ି ପାର୍କିଂକୁ ନେଇ ଜଣେ ଅଟୋଚାଳକଙ୍କୁ ମାଡ଼ମାରି ଗୁରୁତର କରିବା ମାମଲାରେ ଆଜି ଧଉଳି ଥାନା ପୁଲିସ ଜଣେ ଚାର୍ଟ ବ୍ୟବସାୟୀଙ୍କୁ ଗିରଫ କରି ଜେଲ୍‌ ପଠାଇଛି । ଅଭିଯୁକ୍ତ ଚାର୍ଟ ବ୍ୟବସାୟୀ ଜଣକ ହେଲେ ପୁରୀ ଜିଲ୍ଲା ନିମାପଡ଼ା ଥାନା ବିଷ୍ଣୁପୁର ଗ୍ରାମର ଅପର୍ତି ସ୍ୱାଇଁ (୩୨) । ଧଉଳି ଥାନା ଅଧୀନ ନାଥପୁର ଗ୍ରାମର ସୁକାନ୍ତ ମଲ୍ଲିକ୍‌ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯାଗ ପାଇ ପୁଲିସ ଏହାର ତଦନ୍ତ କରି ଏନେଇ କେସ୍‌ ନଂ ୧୩୫ / ୧୭ ରେ ଏକ ମାମଲା ରୁଜୁ କରିଛି । ସେହିପରି ଲୁହା ରଡ଼ ମାଡ଼ରେ ଗୁରତର ଅବସ୍ଥାରେ ସୁକାନ୍ତ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ପୁଲିସ ସୂଚନାନୁଯାୟୀ ସୁକାନ୍ତ ନୂଆଗାଁ ଛକ ଅଞ୍ଚଳରେ ଅଟୋ ଲଗାନ୍ତି । ଅନୁରୂପ ଭାବେ ଅପର୍ତି ମଧ୍ୟ ସେଠାରେ ଠେଲାଗାଡ଼ି ଲଗାଇ ଚାର୍ଟ ବ୍ୟବସାୟ କରନ୍ତି । ଗତକାଲି ସଂଧ୍ୟାରେ ଗାଡ଼ି ପାର୍କିଂକୁ ନେଇ ଉଭୟଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଅପର୍ତି ତାଙ୍କ ମୁଣ୍ଡକୁ ଲୁହାରଡ଼ରେ ମାଡ଼ମାରି କ୍ଷତାକ୍ତ କରିଦେଇଥିଲେ । ପରିବାର ଲୋକ ତୁରନ୍ତ ଚିକିତ୍ସା ଲାଗି ସୁକାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ । ସୁକାନ୍ତଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏହାର ତଦନ୍ତ କରି ଅପର୍ତିକୁ କୋର୍ଟର୍ ଚାଲାଣ କରିଛି । ତେବେ ଜାମିନ ନାମଂଜୁର ହେବାରୁ ଅପର୍ତିକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ କହିଛି ।

ସମ୍ବନ୍ଧିତ ଖବର