ଶ୍ବଶୁର ଘରେ ଜ୍ବାଇଁର ଉତ୍ପାତ: ବାପ, ପୁଅଙ୍କୁ ରଡ୍‌ରେ ପିଟିଲେ

ଭୁବନେଶ୍ୱର: ଜ୍ବାଇଁର ରଡ୍‌ ମାଡ଼ରେ ଗୁରୁତର ଆହତ ହୋଇଛନ୍ତି ଶ୍ବଶୁର ଓ ଶଳା। ରାତି ଅଧରେ ଶ୍ବଶୁର ଘରେ ପଶି ଜ୍ବାଇଁ ଏପରି କାଣ୍ଡ କରଛି। ତେବେ ଆକ୍ରମଣରୁ ତାଙ୍କର ୩ ବର୍ଷର ପୁଅ ବର୍ତ୍ତି ଯାଇଛି। ଉଭୟ ଆହତଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଜ୍ବାଇଁ ଫେରାର ଥିବା ଜଣାପଡ଼ିଛି। ଏ ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି ପୁଲିସ। ଆହତ ବାପା-ପୁଅ ହେଉଛନ୍ତି ସଂଜୟ ଦାସ ଓ ତାଙ୍କ ପୁଅ ରଂଜନ ଦାସ। ଅଭିଯୋଗ ମୁତାବକ, ପଦ୍ମକେଶରପୁର ସଂଜୟ ୫ ବର୍ଷ ତଳେ ତାଙ୍କ ଝିଅକୁ ସେହି ଗାଁର ଦୀପୁ ଦାସକୁ ବିବାହ କରାଇଥିଲେ। ତାଙ୍କର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି। ତେବେ ବିବାହ ପରଠାରୁ ଜ୍ବାଇଁ ଦୀପୁ ତାଙ୍କ ଝିଅକୁ ନିର୍ଯାତନା ଦେଉଥିଲେ। ଅତ୍ୟାଚାର ବଢ଼ିବଢ଼ି ଚାଲିବାରୁ ଅତିଷ୍ଠ ହୋଇ ଝିଅ ଜ୍ବାଇଁଙ୍କୁ ଛାଡ଼ପତ୍ର ଦେଇ ଶ୍ବଶୁର ଘରୁ ଚାଲି ଆସିଥିଲା। ସେ ବାପଘରକୁ ଆସିବା ପରଠାରୁ ଦୀପୁ ତାଙ୍କ ଘରେ ପହଞ୍ଚି ବିଭିନ୍ନ ସମୟରେ ଗାଳି ଗୁଲଜ କରୁଥିଲା। ଗତ ମଙ୍ଗଳବାର ଦିନ ସେ ଆସି ଦୁଇ ପୁଅଙ୍କୁ ନିଜ ପାଖକୁ ନେଇଯିବାକୁ ଉଦ୍ୟମ କରୁଥିଲା। ଟଣା ଓଟରା କଲାବେଳେ ରଂଜନ ବାରଣ କରିଥିଲେ। ସେ ଏକ ଲୁହା ରଡ୍‌ ଆଣି ରଂଜନଙ୍କ ମୁଣ୍ଡକୁ ପିଟି ଦେଇଥିଲା। ସେ ତଳେ ପଡ଼ି ଚିତ୍କାର କରିଥିଲେ। ଏହା ଦେଖି ତାଙ୍କ ବାପା ସଂଜୟ ଦଉଡ଼ି ଆସି ପୁଅକୁ ଉଠାଇବାକୁ ଉଦ୍ୟମ କରୁଥିଲେ। ଏତିକି ବେଳେ ଅଭିଯୁକ୍ତ ଦୀପୁ ଶ୍ବଶୁରଙ୍କୁ ମଧ୍ୟ ଛାଡ଼ି ନଥିଲା। ଲୁହା ଛଡ଼ରେ ପିଟିଦେବାରୁ ସେ ତଳେ ପଡ଼ି ଯାଇଥିଲେ। ଏହା ପରେ ସେ ୩ ବର୍ଷର ସାନ ପୁଅକୁ ଏକ କାଚ ବୋତଲରେ ପିଟି ଦେବାକୁ ଉଦ୍ୟମ କରୁଥିଲେ। ହୋ ହଲ୍ଲା ଶୁଣି ସେଠାରେ କେତେକ ଲୋକ ପହଞ୍ଚି ଯାଇଥିବାରୁ ଶିଶୁ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର