ଭୁବନେଶ୍ବର: ଏୟାର ଫିଲ୍‌ଡ ଥାନା ଅଧୀନ ମୁଣ୍ଡଳି ଗ୍ରାମରେ ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଛି। ପ୍ରାଣାନ୍ତକ ଆକ୍ରମଣରେ ଦୁଇ ପରିବାରର ୪ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଅଛନ୍ତି। ଏନେଇ ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୁଣ୍ଡଳି ଗ୍ରାମରେ ରମେଶ ନାୟକ ଓ ଦିଲ୍ଲୀପ ଖଟେଇଙ୍କ ପରିବାର ମଧ୍ୟରେ ଜମିବାଡ଼ି ଭାଗ ବଣ୍ଟାକୁ କେନ୍ଦ୍ର କରି ପୂର୍ବ ଶତ୍ରୁତା ରହିଥିଲା। ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ଦିଲ୍ଲୀପଙ୍କ ଭଉଣୀ ଲକ୍ଷ୍ମୀପ୍ରିୟାଙ୍କ ସହ ରମେଶ ନାୟକଙ୍କର ଯୁକ୍ତତର୍କ ହୋଇଥିଲା। ପରେ ଦିଲ୍ଲୀପ ଆସି ଘଟଣା ସମ୍ପର୍କରେ ପଚାରିଥିଲେ। ରମେଶ ନାୟକ ଓ ତାଙ୍କ ସମ୍ପର୍କୀୟ ଶ୍ରୀକାନ୍ତ ନାୟକ ଉତ୍ତ୍ୟକ୍ତ ହୋଇ ଦିଲ୍ଲୀପ ଓ ଲକ୍ଷ୍ମୀପ୍ରିୟାଙ୍କ ସହ ଝଗଡ଼ା କରିଥିଲେ। ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇ କଟୁରିରେ ପରସ୍ପରକୁ ଚୋଟ ମାରିଥିଲେ। ଘଟଣାସ୍ଥଳରେ ୪ଜଣ ଆହତ ହେବା ସହ ରମେଶ ଓ ଦିଲ୍ଲୀପ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ହସ୍ପିଟାଲକୁ ନେଇଥିଲେ। ପୁଲିସ ଏନେଇ ଦୁଇଟି ମାମଲା ରୁଜୁ କରି ୨ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି।