ବଟି ପାଇଁ ରାତି ଅଧିଆ ଆକ୍ରମଣ! ୨ ଜଣ କର୍ମଚାରୀ ଗୁରୁତର ଆହତ

ଖଣ୍ଡଗିରି: ଆଖି ଔଷଧ କିଣିବା ବାହାନାରେ ବଟି ମାଗି ରାତି ଅଧରେ ଏକ ଔଷଧ ଦୋକାନ ଉପରେ ଆକ୍ରମଣ ହୋଇଛି। ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବର ଏମ୍‌ସ ରାସ୍ତାରେ ଥିବା ସାଇ ଦୀପକ ମେଡିକେୟାର୍ ଦୋକାନ ଉପରେ ଏଭଳି ଆକ୍ରମଣ ହୋଇଛି। ଫଳରେ ‌ଦୋକାନର ୨ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଗଣ୍ଡଗୋଳ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ସ୍ଥାନୀୟ ସିଜୁଆ ଗ୍ରାମର ବୁବନା ନାମକ ଜଣେ ଯୁବକକୁ ଅଟକ ରଖିଛି। ବଟି ପାଇଁ ଏହି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଦୋକାନ ମାଲିକ ଦୀପକ ରାଉତରାୟଙ୍କ ଅଭିଯୋଗ ଅନୁସାରେ ଗତ ରାତି ପ୍ରାୟ ୧ଟାବେଳେ ବୁବୁନା ଓ ତା’ର ଅନ୍ୟ ଜଣେ ସହଯୋଗୀ ଦୋକାନରେ ପହଞ୍ଚିଥିଲେ। ବୁବୁନା ଦୋକାନ କବାଟ ଖୋଲିବାକୁ କହିବା ସହ ଆଖି ଔଷଧ ମାଗିଥିଲା। କିନ୍ତୁ ଦୋକାନ କର୍ମଚାରୀ ରାଜା ଗୁମାନସିଂହ ଓ ପ୍ରିୟବ୍ରତ ସାହୁ କବାଟ ନ ଖୋଲି କାଉଣ୍ଟର ଦେଇ ଔଷଧ ବଢ଼ାଇଥିଲେ। କବାଟ ନ ଖୋଲିବାରୁ ବୁବୁନା ରାଗି ଯାଇ ଗାଳିମନ୍ଦ କରିଥିଲା ଓ ରାଗରେ କାଚ କବାଟକୁ ଗୋଇଠା ମାରିଥିଲା। ଫଳରେ କାଚ କବାଟ ଭାଙ୍ଗି ଯାଇଥିଲା। ଭଙ୍ଗା କାଚ ଖଣ୍ଡ ପଡ଼ି ରାଜାଙ୍କ ବାମ ଗୋଡ଼ ଚିରି ହୋଇ ଯାଇଥିଲା। ସେହିଭଳି ପ୍ରିୟବ୍ରତଙ୍କ ନାକ ଓ ମୁଣ୍ଡରେ ଭଙ୍ଗା କାଚ ଖଣ୍ଡ ପଡ଼ି କ୍ଷତ ସୃଷ୍ଟି ହୋଇଥିଲା। ଖବର ପାଇ ତୁରନ୍ତ ଦୀପକ ସେଠ‌ାରେ ପହଞ୍ଚିଥିଲେ ଓ ଆହତ ଦ୍ବୟଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରିଥିଲେ। ସେହିଭଳି ଗଣ୍ଡଗୋଳ ଖବର ପାଇ ଖଣ୍ଡଗିରି ଥାନା ପିସିଆର୍ ସେଠାରେ ପହଞ୍ଚିଥିଲା ଓ ସେତେବେଳ ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ଥିବା ବୁବୁନାକୁ କାବୁ କରିନେଇଥିଲା। ମାତ୍ର ସେତେବେଳକୁ ଅନ୍ୟ ଜଣଙ୍କ ଫେରାର୍ ହୋଇଯାଇଥିଲା। ମାଲିକ ଦୀପକଙ୍କ ଅଭିଯୋଗ ଅନୁସାରେ କିଛି ଦିନ ପୂର୍ବରୁ ବୁବୁନା ତାଙ୍କୁ ବଟି ମାଗିଥି‌ଲା। ମାତ୍ର ସେ ବଟି ଦେବାକୁ ମନା କରିବାରୁ ବୁବୁନା ଏଭଳି ରାତି ଅଧିଆ ଆକ୍ରମଣ କରିଛି।

ସମ୍ବନ୍ଧିତ ଖବର