ଅଷ୍ଟ୍ରେଲିଆ କ୍ରିକେଟ ଟିମର ବସ ଉପରକୁ ଆକ୍ରମଣ ଘଟଣା: ସନ୍ଦେହରେ ୨ଗିରଫ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଗୌହାଟୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମଙ୍ଗଳବାର ଆସାମର ଗୌହାଟୀ ଠାରେ ଟି-୨୦ ମ୍ୟାଚ ଖେଳାଯାଇଥିଲା। ମ୍ୟାଚରେ ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ଟିମ୍‌ ରାତିରେ ହୋଟେଲକୁ ଫେରିବା ରାସ୍ତାରେ ଆକ୍ରମଣର ଶିକାର ହୋଇଥିଲେ। ଅଷ୍ଟ୍ରେଲିଆର ଖେଳାଳିମାନେ ଯେଉଁ ବସ୍‌ରେ ହୋଟେଲକୁ ଫେରୁଥିଲେ, ରାସ୍ତାରେ କିଛି ଲୋକ ପଥରମାଡ଼ କରିଥିଲେ। ଆକ୍ରମଣ ଘଟଣାରେ ସନ୍ଦେହ ହେବାରୁ ଆସାମ ପୁଲିସ ୨ଜଣଙ୍କୁ ଗିରଫ କରିଛି। ଘଟଣାକୁ ପ୍ରଥମେ ଟିମ୍‌ର ଓପନର ଆରୋନ ଫିଞ୍ଚ ଟୁଇଟରେ ପୋଷ୍ଟ କରିଥିଲେ। ଏହି ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ଵାଲ ରାଜ୍ୟ ମୁଖ୍ୟ ସଚିବ ଭିକେ ପିପରସନିଆଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବସ୍‌ର କାଚ ଭାଙ୍ଗିବା ଫଟୋକୁ ଆରୋନ ଟୁଇଟରରେ ପୋଷ୍ଟ କରିଥିଲେ।

୩ଟି ଟି-୨୦ ଶୃଙ୍ଖଳାର ୨ୟ ମ୍ୟାଚ ଖେଳି ବାରସପରା କ୍ରିକେଟ ଷ୍ଟାଡ଼ିୟମରୁ ଉତ୍ସାହର ସହିତ ଫେରୁଥିବା ଖେଳାଳିମାନେ ଦୁର୍ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ୮ଓ୍ଵିକେଟରେ ବିଜୟ ଲାଭ କରିଥିଲା। ଅପରାଧୀଙ୍କୁ ଯେତେ ସମ୍ଭବ ଗିରଫ କରିବାକୁ ସୋନଓ୍ଵାଲ ପୁଲିସ ମହାନିର୍ଦ୍ଦେଶକ ମୁକେଟ ସହାୟଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅଭାବନୀୟ ଘଟଣାକୁ କେନ୍ଦ୍ର ଖେଳମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଘୋର ନିନ୍ଦା କରିଛନ୍ତି। ଟୁଇଟରରେ ରାଠୋର କହିଛନ୍ତି, ଗୌହାଟୀରେ ପଥର ଫିଙ୍ଗା ଘଟଣା ପ୍ରମାଣ କରୁଛି ଯେ, ଦେଶରେ ସୁରକ୍ଷା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଆସନ୍ତା ଅକ୍ଟୋବର ୧୩ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହାଇଦ୍ରାବଦର ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଲାଯିବ। ଏହି ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥା କ’ଣ ରହିବ ବୋଲି ପ୍ରଶ୍ନ ଉଠିଛି?

ଅଷ୍ଟ୍ରେଲିଆ ଖେଳାଳିଙ୍କ ବସ ଉପରକୁ ନିକଟରେ ବାଂଲାଦେଶରେ ମଧ୍ୟ ଆକ୍ରମଣ ହୋଇଥିଲା। ବାଂଲାଦେଶରେ ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ ଖେଳିବାକୁ ଯାଇଥିବା ଅଷ୍ଟ୍ରେଲିଆ ଟିମ୍‌ ଚିତାଗଙ୍ଗରେ ଘଟଣାର ସମ୍ମୁଖୀନ ହୋଇଥିଲେ। ପରେ ବାଂଲାଦେଶ କ୍ରିକେଟ ବୋର୍ଡ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦେଇଥିଲା।

ସମ୍ବନ୍ଧିତ ଖବର