ବାଲିପାଟଣା ବିଜେଡି ପାର୍ଟି କାର୍ଯ୍ୟାଳୟରେ ଭଙ୍ଗାରୁଜା : ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିରିଲେ ଦୁର୍ବୃତ୍ତ

ବାଲିପାଟଣା : ବାଲିପାଟଣା ବ୍ଲକ ବିଜେଡି ପାର୍ଟି କାର୍ଯ୍ୟାଳୟରେ ଆଜି ବ୍ୟାପକ ଭଙ୍ଗାରୁଜା ହୋଇଛି। ପାର୍ଟି କାର୍ଯ୍ୟାଳୟରେ ଲାଗିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ଚିରାଯିବା ସହ ଅଫିସ୍‌ ଦାୟିତ୍ୱରେ ଥିବା ନବକୃଷ୍ଣ ସାହୁଙ୍କୁ ବନ୍ଧୁକ ଦେଖାଇ ୩ଜଣ ଯୁବକ ଭୟଭୀତ କରିଥିବା ଥାନାରେ ଅଭିଯୋଗ ହୋଇଛି। ଏ ସଂପର୍କରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣରେ ମେଡିକାଲ ଛକରେ ଥିବା ବିଜେଡି ପାର୍ଟି କାର୍ଯ୍ୟାଳୟରେ ୩ଜଣ ଯୁବକ ମଟର ସାଇକେଲରେ ଆସି ପହଞ୍ଚିଥିଲେ। ପ୍ରଥମେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଆରମ୍ଭ କରିବା ପରେ ପାର୍ଟି କାର୍ଯ୍ୟାଳୟ ଭିତରେ ପଶି ଆସବାବପତ୍ର ଭାଙ୍ଗିଥିଲେ। ଏପରିକି ସେଠାରେ ଲଗାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ଚିରି ଦେଇଥିଲେ। ଅଫିସ୍‌ରେ ପଡ଼ିଥିବା ଚେୟାରଗୁଡ଼ିକୁ ଭାଙ୍ଗି ବାହାରକୁ ଫିଙ୍ଗି ଦେଇଥିଲେ। ତେବେ ଅଫିସ୍‌ ଦାୟିତ୍ୱରେ ଥିବା ନବକୃଷ୍ଣ ସାହୁ ଏହାକୁ ବିରୋଧ କରିବାରୁ ଯୁବକମାନେ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ।

ସମ୍ବନ୍ଧିତ ଖବର