ଚନ୍ଦ୍ରଶେଖରପୁର: ଆଜି ରାତି ପ୍ରାୟ ସାଢ଼େ ଦଶଟା ବେଳେ ‌ଜଣେ ବ୍ୟବସାୟୀଙ୍କୁ ରଘୁନାଥପୁର ବ୍ରିଜ୍ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଅଟକାଇ ଲୁଟ୍ କରିଛନ୍ତି। ବ୍ୟବସାୟୀଜଣଙ୍କ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣକରି ତାଙ୍କ ସୁନା ମୁଦି ଓ ଚେନ୍ ଲୁଟି ଫେରାର ହୋଇ ଯାଇଛନ୍ତି। ବ୍ୟବସାୟୀ ଜଣକ ହେଲେ କଟକ ଥୋରିଆସାହିର ବିମଳ କୁମାର ସାମନ୍ତରାୟ(୪୩)। ଘଟଣା ଅନୁଯାୟୀ ବିମଳ ୪ ନମ୍ବର ହାଟରୁ ବାଇକ୍‌ରେ ଯାଉଥିବା ବେଳେ ପଟିଆ ନିକଟରୁ ତାଙ୍କୁ ଦୁଇ ଜଣ ଯୁବକ ବାଇକ୍‌ରେ ଅନୁସରଣ କରିଥିଲେ। ପରେ ବ୍ରିଜ୍ ନିକଟରେ ତାଙ୍କୁ ସାଇଡ୍‌ ମାରି ବଚସା କରିଥିଲେ। ବିମଳ ଏହାର ପ୍ରତିବାଦ କରିବାରୁ ସେମାନେ ଆକ୍ରମଣ କରି ଲୁଟ୍ କରିଥିଲେ।

Advertisment

ଏନେଇ ବିମଳ କଟକ ଛତ୍ରବଜାରର ବନ୍ଧୁ ସରୋଜ ମହାପାତ୍ରଙ୍କୁ ଫୋନ୍ କରି ଜଣାଇଥିଲେ। ଶ୍ରୀ ମହାପାତ୍ର ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରିଛନ୍ତି। ବ୍ୟବସାୟୀ ଜଣଙ୍କ ଥାନାରେ ଅଭିଯୋଗ କରିନଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଇନ୍‌ଫୋସିଟି ଓ ନନ୍ଦନକାନନ ଥାନା ପିସିଆର ଦୁର୍ବୃତ୍ତମାନଙ୍କୁ ଖୋଜାଖୋଜି କରିଥିଲେ। ମାତ୍ର ସେମାନଙ୍କ ପତ୍ତା ମିଳିପାରି ନାହିଁ।