ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ବର: ଦିନ ଦ୍ବିପ୍ରହରରେ ୟୁନିଟ୍‌-୧ ମାର୍କେଟ୍‌‌ରେ ଜଣେ ପରିବା ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରାଯାଇଛି। ଏହି ଘଟଣାରେ କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି। ସେ ହେଲା ବାଙ୍କୁଆଳ ଅଞ୍ଚଳର ମହନ୍ତ ସ୍ବାଇଁ। ପୁଲିସ ସୂଚନା ମୁତାବକ, ସୋମବାର ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ସନ୍ତୋଷ ସ୍ବାଇଁ ନାମକ ଜଣେ ପରିବା ବ୍ୟବସାୟୀ ‌ୟୁନିଟ୍-୧ ହାଟକୁ ଆସି ବ୍ୟବସାୟ କରିଥିଲେ। ମଧ୍ୟାହ୍ନ ପ୍ରାୟ୧୨ଟା ବେଳେ ପରିବା ବିକି ସାରି ଗୋଦାମରୁ ଫେରୁଥିଲେ। ଏହି ସମୟରେ ମହନ୍ତ ତାଙ୍କୁ ପିଛା କରିଥିଲା। ଗୋଦାମରୁ କିଛିବାଟ ଯିବା ପରେ ମହନ୍ତ ହଠାତ୍‌ ଏକ ଖଣ୍ଡାରେ ତାଙ୍କ ବେକ, ପିଠି, ମୁଣ୍ଡ, ହାତକୁ ଗୋଟିଏ ପରେ ଗୋଟିଏ ଚୋଟ ପକାଇ ଚାଲିଥିଲା। ସନ୍ତୋଷ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯିବା ପରେ ମହନ୍ତ ତାଙ୍କ ବ୍ୟାଗ୍‌ରୁ ୨ଲକ୍ଷ ୧୫ହଜାର ଟଙ୍କା ଓ ୪ ଭରି ଓଜନର ଏକ ସୁନା ଚେନ୍‌ ନେଇଯାଇଥିଲା। ମହନ୍ତର ଏଭଳି କାଣ୍ଡ ଦେଖି ସ୍ଥାନୀୟ ବ୍ୟବସାୟୀମାନେ ଭୟଭୀତ ହୋଇଯାଇଥିଲେ। ତାକୁ ଅଟକାଇବା ପାଇଁ କେହି ସାହସ ଜୁଟାଇ ପାରି ନଥିଲେ। ତେବ‌େ ସନ୍ତୋଷଙ୍କ ସହଯୋଗୀମାନେ ଧାଇଁ ଆସି ଅଟକାଇବାକୁ ଉଦ୍ୟମ କରିବା ବ‌େଳେ ମହନ୍ତ ସେମାନଙ୍କୁ ମଧ୍ୟ ଖଣ୍ଡା ଦେଖାଇ ଗୋଡ଼ାଇଥିଲା। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ସନ୍ତୋଷଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ସନ୍ତୋଷଙ୍କ ଭାଇ ଜୟଦେବ ସାହୁ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର