ଗଣେଶ ପୂଜା ଚାନ୍ଦା ନଦେବା ମହଙ୍ଗା ପଡ଼ିଲା : କର୍ପୋରେଟର୍‌ ଓ ତାଙ୍କ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ

କମିସନରେଟ୍‌ ପୁଲିସ ନିର୍ଦେଶନାମାକୁ ଫୁ, ୧୦ ଗିରଫ

ଭୁବନେଶ୍ୱର : ଗୋଡ଼େଇ ଗୋଡ଼େଇ କର୍ପୋରେଟର୍‌ଙ୍କୁ ମାଡ଼ ମାରିଲେ। କର୍ପୋରେଟର୍‌ଙ୍କୁ ତଳେ ପକାଇ ଏକସଙ୍ଗେ ୧୦ରୁ ଅଧିକ ଯୁବକ ବିଧା ଗୋଇଠା ମାରିଚାଲିଲେ। ଲହୁଲୁହାଣ କରିଦେଲେ। କେବଳ କର୍ପୋରେଟର୍‌ ନୁହେଁ ତାଙ୍କ ଭାଇଙ୍କୁ ବି ଏମିତି ଆକ୍ରମଣ କଲେ। ଗଣେଶ ପୂଜା ଚାନ୍ଦା ଦେଇ ନଥିଲେ ବୋଲି ଦୁଇ ଭାଇଙ୍କୁ ଏମିତି ଆକ୍ରମଣ ହୋଇଥିଲା।

ସହିଦନଗର ଥାନା ଅଧୀନରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ବିଏମ୍‌ସିର ଓ୍ଵାର୍ଡ ୫ର କର୍ପୋରେଟର୍‌ ନିର୍ମଳ ଚନ୍ଦ୍ର ରାଉତ ଏବଂ ତାଙ୍କ ଭାଇ ଦାଶରଥୀ ରାଉତଙ୍କୁ ଶନିବାର ରାତିରେ ଏମିତି ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି।

ଚାନ୍ଦା ମାଗିବା ଅପରାଧ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ପାର୍ବଣ ଋତୁ ପୂର୍ବରୁ ଭିଡିଓ ଜାରି ହୋଇଥିଲା। ଏଥିପାଇଁ ବି ନିର୍ଦ୍ଦେଶନାମା ଜାରି ହୋଇଥିଲା। କିନ୍ତୁ ଏହା କିପରି କାର୍ଯ୍ୟକାରୀ ହେଉଛି ତାହା ବାଣୀବିହାର କ୍ୟାମ୍ପସ ଭିତରେ ଦେଖିବାକୁ ମିଳିଛି। ସହିଦନଗର ଥାନାରୁ ମାତ୍ର ୫୦୦ ମିଟର ଦୂରରେ ଜଣେ ଲୋକ ପ୍ରତିନିଧି ଓ ତାଙ୍କ ଭାଇଙ୍କୁ ଆକ୍ରମଣ କରାଗଲା। ଅଥଚ ପୁଲିସ ଘଟଣାକୁ ଯଥାସମ୍ଭବ ଚାପିବାକୁ ଉଦ୍ୟମ କରିଥିଲେ ହେଁ ଦୁଇ ଦିନ ପରେ ଘଟଣା ପଦାକୁ ଆସିଛି।

ଏହି ଘଟଣାରେ ସମ୍ପୃକ୍ତ ଥିବା ୧୦ ଅଭିଯୁକ୍ତଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ବାଣୀବିହାର କଲୋନିର ବ୍ରଜବନ୍ଧୁ ପାଇକରାୟ(୨୮), ବିଶ୍ୱଜିତ ରାଉତ(୧୯), ଆନନ୍ଦ ବାରା(୧୯), ଦିବ୍ୟଲୋଚନ ଦାସ(୨୦), ସତ୍ୟଜିତ୍‌ ଜେନା(୨୦), ବିକାଶ ସାହୁ(୨୦), ଆଶିଷ ସାହୁ(୨୦), ଶ୍ରୀକାନ୍ତ ମହାରଣା(୨୦), ମୁକେଶ ରଣା(୨୦) ଏବଂ ଆଶୁତୋଷ ମହାନ୍ତି(୨୦)।

ଘଟଣା ତିନି ଦିନ ତଳେ ଘଟିଥିଲେ ମଧ୍ୟ ପୁଲିସ ଏହାକୁ ଚାପି ଦେବାକୁ ଉଦ୍ୟମ କରିଥିଲା। ହେଲେ ପରିସ୍ଥିତି ଅସମ୍ଭାଳ ହେବାରୁ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଥିଲା ବୋଲି ଚର୍ଚ୍ଚା ହେଉଛି।

ସବୁଠୁ ବଡ଼ କଥା ହେଲା ଯେ, କେସ୍‌ର ତଦନ୍ତକାରୀ ଅଧିକାରୀ ତପନ ମହାପାତ୍ର ଏପର୍ଯ୍ୟନ୍ତ ଘଟଣା ବିଷୟରେ ଜାଣି ନଥିବା କହିଛନ୍ତି। ସେ କହିଛନ୍ତି ଯେ, କର୍ପୋରେଟର୍‌ଙ୍କ ଉପରେ ମାଡ଼ ହୋଇଛି କି ତାଙ୍କ ଭାଇ ଉପରେ ମାଡ଼ ହୋଇଛି ସେ ବିଷୟରେ ମୋ ପାଖରେ କୌଣସି ତଥ୍ୟ ନାହିଁ।

ସୂଚନା ମୁତାବକ, କିଛିଦିନ ହେବ ବାଣୀବିହାର କ୍ୟାମ୍ପସରେ ଥିବା ଏକ ପାର୍କ  କାମ ଚାଲିଥିଲା। ଅଭିଯୁକ୍ତମାନେ ୪ ଦିନ ତଳେ ସେଠାରେ କ୍ୟାମ୍ପ ପକାଇଥିବା ମିସ୍ତ୍ରି ଓ ଅନ୍ୟ ଶ୍ରମିକଙ୍କ ପାଖକୁ ଯାଇ ଚାନ୍ଦା ମାଗିଥିଲେ। ସେମାନେ କେଉଁଠୁ ଟଙ୍କା ଆଣିବେ ବୋଲି କହିବାରୁ ଅଭିଯୁକ୍ତମାନେ ଧମକାଇ କହିଥିଲେ ମାଲିକକୁ କୁହ ଆମକୁ ଆସି ଦେଖା କରିବ। ଚାନ୍ଦା ନ ଦେଲେ କାମ କରିପାରିବ ନାହିଁ। ତେବେ ମିସ୍ତ୍ରି ବାଙ୍କ ବିହାରୀ ମହାପାତ୍ର ଘଟଣା ବିଷୟରେ ମାଲିକଙ୍କୁ କହିଥିଲେ। ତେବେ ୧୫ ତାରିଖରେ କର୍ପୋରେଟର୍‌ ଓ ତାଙ୍କ ଭାଇ କ୍ୟାମ୍ପସରେ ଥିବା କ୍ୟାମ୍ପ ନିକଟକୁ ଆସି ବାଙ୍କବିହାରୀ ଓ ଅନ୍ୟମାନଙ୍କ ସହ ଆଲୋଚନା କରୁଥିଲେ। ଏହି ସମୟରେ ହଠାତ୍‌ ୧୫ରୁ ୨୦ ବାଇକ୍‌ରେ ୩୦ରୁ ଅଧିକ ଯୁବକ ଆସି ଅଚାନକ କର୍ପୋରେଟର୍‌, ତାଙ୍କ ଭାଇ ଓ ଅନ୍ୟମାନଙ୍କୁ ଠେଙ୍ଗା, ବାଡ଼ିରେ ଆକ୍ରମଣ କରିଥିଲେ।  ଏଥିରେ କର୍ପୋରେଟର୍‌, ତାଙ୍କ ଭାଇ  ଓ ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ। ଆକ୍ରମଣ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଖବରପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏନେଇ ବାଙ୍କ ବିହାରୀ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା। କିନ୍ତୁ କାହାକୁ ଗିରଫ କରି ନଥିଲା। ଏହାପରେ ବିଏମ୍‌ସିର କେତେକ କର୍ପୋରେଟର ସହିଦନଗର ଥାନାରେ ପହଞ୍ଚି ହୋହଲ୍ଲା କରିବା ପରେ ପୁଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯଦି ଗଣେଶ ପୂଜାରୁ ଏଭଳି ଅବସ୍ଥା ତେବେ ଆଗକୁ ଦୁର୍ଗା ପୂଜା, କାଳୀପୂଜା ବେଳେ କିଭଳି ପରିସ୍ଥିତି ହେବ ଏବେଠୁ ଅନୁମାନ କରାଯାଇପାରେ।

ସମ୍ବନ୍ଧିତ ଖବର