ଭୁବନେଶ୍ୱର : କଟକ ନୁହେଁ ରାଜଧାନୀରେ ବି ଡି ବ୍ରଦର୍ସ ନାଁରେ ଆଦାୟ ହେଉଛି ବଟି। ବଟି ନଦେଲେ ହେଉଛି ପ୍ରାଣାନ୍ତକ ଆକ୍ରମଣ। ଡି ବ୍ରଦର୍ସ ଜେଲ୍ର ଚାରି କାନ୍ଥ ଭିତରେ କାଏଦ ଥିଲେ ମଧ୍ୟ ତାଙ୍କ ନାଁରେ ଚାଲିଛି ଏପରି କାର୍ଯ୍ୟ। ଯାହା କମିସନରେଟ୍ ପୁଲିସକୁ ଚିନ୍ତାରେ ପକାଇ ଦେଇଛି। ସୋମବାର ସନ୍ଧ୍ୟାରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଭାଲେଣ୍ଟିନା ପାଇପ୍ସ ନାମକ ଏକ ଘରୋଇ ସଂସ୍ଥାର ମାଲିକ ନିକୁଞ୍ଜ ଛୋଟରାୟ ଓ ଜଣେ କର୍ମଚାରୀ ପୂର୍ଣ୍ଣ ଦରୁଆଙ୍କୁ କେତେକ ଦୁର୍ବୃତ୍ତ ଭୁଜାଲି ଓ ଲୁହାରଡ୍ରେ ଆକ୍ରମଣ ପରେ ଘଟଣା ପଦାକୁ ଆସିଛି। ତେବେ ଘଟଣା ଘଟିଥିବା ସ୍ଥାନଠାରୁ ମଞ୍ଚେଶ୍ୱର ଥାନା ମାତ୍ର ୫ଶହ ମିଟର ଦୂର ଓ ଜନଗହଳୀପୂର୍ଣ୍ଣ ସ୍ଥାନ ହୋଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ଏଭଳି ଘଟଣା ଘଟାଇବାକୁ ପଛାଇ ନଥିଲେ। ଏକ ପ୍ରକାର ପୁଲିସକୁ ଚ୍ୟାଲେଞ୍ଜ କଲା ଭଳି ଦୁର୍ବୃତ୍ତମାନେ ଘଟଣା ଘଟାଇବା ପରେ ଫେରାର୍ ହୋଇଯାଇଥିଲେ ମଧ୍ୟ ପୁଲିସ ସେମାନଙ୍କ ଟେର୍ ପାଇ ନଥିଲା। ତେବେ ଡି’ ବ୍ରଦର୍ସର ଏକ ଗ୍ରୁପ ରାଜଧାନୀରେ ସକ୍ରିୟ ଥିଲେ ମଧ୍ୟ କମିସନରେଟ୍ ପୁଲିସ ସେମାନଙ୍କ ସଂପର୍କରେ ସୂଚନା ନପାଇବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ସୋମବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ୪ଟି ବାଇକ୍ରେ ୧୦ଜଣ ଯୁବକ କୋଚିଳାଖାଇ ହାଟ ପଛପଟେ ଥିବା ଭାଲେଣ୍ଟିନା ପାଇପ୍ସ ଫ୍ୟାକ୍ଟ୍ରି ନିକଟରେ ପହଞ୍ଚିଥିଲେ। ଫ୍ୟାକ୍ଟ୍ରି ଗେଟ୍ରେ ଥିବା ସୁରକ୍ଷାକର୍ମୀଙ୍କୁ କାବୁ କରି ୩ ଦୁର୍ବୃତ୍ତ ଭିତରକୁ ଯାଇଥିଲେ। ସେମାନେ ନିକୁଞ୍ଜଙ୍କ ଚ୍ୟାମ୍ବର୍କୁ ପଶିଯାଇ ୫ଲକ୍ଷ ଟଙ୍କା ବଟି ମାଗିଥିଲେ। ଦୁର୍ବୃତ୍ତମାନେ ସେମାନଙ୍କୁ ଡି’ବ୍ରଦର୍ସଙ୍କ ଲୋକ ବୋଲି କହିଥିଲେ। ତେବେ ନିକୁଞ୍ଜ କାହାକୁ ଚିହ୍ନି ନାହାନ୍ତି କହିବାରୁ ଦୁର୍ବୃତ୍ତମାନେ ଅଚାନକ ଆକ୍ରମଣ କରିଥିଲେ। ଭୁଜାଲି ଓ ଲୁହାରଡ୍ରେ ନିକୁଞ୍ଜଙ୍କ ପିଠିକୁ ଆକ୍ରମଣ କରିଥିଲେ। ବିରୋଧ କରିବା ପାଇଁ ପୂର୍ଣ୍ଣ ଆସିବାରୁ ଦୁର୍ବୃତ୍ତମାନେ ତାଙ୍କ ବାମ ହାତକୁ ଭୁଜାଲିରେ ଚୋଟ ମାରିିଥିଲେ। ପରେ ଅଫିସ୍ ଭିତର ଏବଂ ବାହାରକୁ ବାଡ଼େଇ ଭାଙ୍ଗି ଦେଇଥିଲେ। ଦୁର୍ବୃତ୍ତଙ୍କ ଏପରି ଆକ୍ରମଣ ଦେଖି କର୍ମଚାରୀମାନେ ତୁରନ୍ତ ପୁଲିସକୁ ଫୋନ୍କରି ଘଟଣା ବିଷୟରେ ଜଣାଇଥିଲେ। ହେଲେ ପୁଲିସ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ। ସହିଦନଗର ଥାନା ପୁଲିସ ଆହତ ନିକୁଞ୍ଜ ଓ ପୂର୍ଣ୍ଣଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏନେଇ ନିକୁଞ୍ଜ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଛି।