ଭିଣୋଇର କଟୁରି ଚୋଟରେ ଶଳା ଆହତ

ଭୁବନେଶ୍ୱର : ବାରମ୍ବାର ଭଉଣୀ ଉପରେ ହେଉଥିବା ନିର୍ଯାତନାକୁ ବିରୋଧ କରିବାକୁ ଯାଇ ଭିଣୋଇର ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନାନୁଯାୟୀ ସୁନ୍ଦରପଦା ଅଞ୍ଚଳରେ ରହୁଥିବା ସୁଶାନ୍ତ କୁମାର ରଥ ତାଙ୍କ ପତ୍ନୀଙ୍କୁ ବିଭିନ୍ନ ସମୟରେ ମଦ ପିଇ ନିର୍ଯାତନା ଦେଇଆସୁଥିଲା। ଗତକିଛି ଦିନ ତଳେ ସୁଶାନ୍ତ ମଦ ପିିଇ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିଥିଲା। ନିର୍ଯାତନା ଅସହ୍ୟ ହେବାରୁ ସୁଶାନ୍ତଙ୍କ ସ୍ତ୍ରୀ ଘଟଣା ବିଷୟରେ ତାଙ୍କ ଭାଇ ବିରଞ୍ଚିଙ୍କୁ କହିଥିଲେ। ବିରଞ୍ଚି ଭିଣେଇଙ୍କୁ ବୁଝାଇବା ପାଇଁ ତାଙ୍କ ଘରକୁ ଯାଇଥିଲେ। ଏହି ସମୟରେ ସୁଶାନ୍ତ ବିରଞ୍ଚିଙ୍କୁ ଦେଖି ଗାଳିଗୁଲଜ କରିବା ଆରମ୍ଭ କରିଥିଲା। ଏହାକୁ ବିରୋଧ କରିବାରୁ ସୁଶାନ୍ତଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସୁଶାନ୍ତ ବିରଞ୍ଚିଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ଯୋଜନା ମୁତାବକ ଗତ ୨ ତାରିଖ ସନ୍ଧ୍ୟା ୭ଟାରେ ସୁଶାନ୍ତ ତାଙ୍କ ଶଳା ବିରଞ୍ଚଙ୍କୁ ଲୋୟର ପିଏମ୍‌ଜି ନିକଟରେ ଥିବା କଂଗ୍ରେସ ଭବନ ନିକଟକୁ ଡାକିଥିଲା। ବିରଞ୍ଚି ସେଠାରେ ପହଞ୍ଚିବା ମାତ୍ରେ ପୂର୍ବରୁ ପ୍ରସ୍ତୁତ ଥିବା ସୁଶାନ୍ତ ଏକ ଧାରୁଆ କଟୁରିରେ ବିରଞ୍ଚିଙ୍କୁ ଆତର୍କିତ ଆକ୍ରମଣ କରିଥିଲା। ଏଥିରେ ବିରଞ୍ଚଙ୍କ ହାତ ଓ ପିଠିରେ ଗଭୀର ଆଘାତ ଲାଗିଥିଲା। ବିରଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ି ଚିତ୍କାର କରୁଥିବା ସମୟରେ ସୁଶାନ୍ତ ସେଠରୁ ଚମ୍ପଟ ମାରିଥିଲା। ସ୍ଥାନୀୟ ଲୋକ ବିରଞ୍ଚିଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ଏନେଇ ବିରଞ୍ଚି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଖାଲି ମାମଲା ରୁଜୁ କରି ବସି ପଡ଼ିଛି। ଦିଆଯାଇଥିବା ଅଭିଯୋଗକୁ ଥାନାରୁ ଉଠାଇବା ପାଇଁ ସୁଶାନ୍ତ ବିଭିନ୍ନ ସମୟରେ ଧମକଚମକ ଦେଉଥିବା ବିରଞ୍ଚି ଅଭିଯୋଗ କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ରହିଛି କିନ୍ତୁ ପୁଲିସ କିଛି ପଦକ୍ଷପ ନେଉନାହିଁ ବୋଲି ବିରଞ୍ଚିଙ୍କ ଜଣେ ସଂପର୍କୀୟ କହିଛନ୍ତି।

ସମ୍ବନ୍ଧିତ ଖବର