ବୃଦ୍ଧଙ୍କ ଭୁଜାଲି ଚୋଟରେ ଯୁବକ ମୃତ

ଜଟଣୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଟଣୀ ଥାନା ବିକାଶ ନଗରରେ ପ‌ଡ଼ୋଶୀଙ୍କ ଭୁଜାଲି ଚୋଟରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସେହିପରି ଅଭିଯୁକ୍ତ ମଧ୍ୟ ଏହି ଘଟଣାରେ ଆହତ ହୋଇଛନ୍ତି। ଜଟଣୀ ଥାନା ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଜଟଣୀ ଥାନା ଅନ୍ତର୍ଗତ ବିକାଶ ନଗରରେ ରହୁଥିବା ସିଦ୍ଧେଶ୍ବର ସାହୁ (୫୮)ଏବଂ ତାଙ୍କ ପ‌ଡ଼ୋଶୀ ରାକେଶ କୁମାର ତ୍ରିପାଠୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଜମିବାଡ଼ିକୁ କେନ୍ଦ୍ରକରି ଝଗଡ଼ା ହୋଇ ଆସୁଥିଲା। ସ୍ଥାନୀୟ ଜନସାଧାରଣଙ୍କ ସୂଚନା ଅନୁସାରେ ରାକେଶ ସବୁବେଳେ ସିଦ୍ଧେଶ୍ବରଙ୍କ ପରିବାରକୁ ଗାଳିଗୁଲଜ କରିଥାଏ। ମାତ୍ର ଆଜି ସକାଳେ ସିଦ୍ଧେଶ୍ବରଙ୍କ କାନ୍ଥ ପାର୍ଶ୍ବରେ ନିଶାସକ୍ତ ଅବସ୍ଥାରେ ପରିସ୍ରା କରିଥିଲା। ଏହାକୁ ନେଇ ସିଦ୍ଧେଶ୍ବର ଏବଂ ରାକେଶଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହିତ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଉକ୍ଷିପ୍ତ ହୋଇ ରାକେଶ ଦୌଡ଼ିଯାଇ ଘରୁ ଏକ ଭୁଜାଲି ଆଣି ସିର୍ଦ୍ଧେଶ୍ବରଙ୍କୁ ମାରିବାକୁ ଉଠାଇଥିଲା। ମାତ୍ର ସିଦ୍ଧେଶ୍ବର ରାକେଶଙ୍କ ହାତକୁ ମୋଡ଼ି ଦେବା ସହିତ ରାକେଶଙ୍କ ବାମପଟ ପେଟରେ ସେହି ଭୁଜାଲିରେ ଆକ୍ରମଣ କରିଥିଲେ। ଆହତ ଅବସ୍ଥାରେ ରାକେଶ ପାଖରେ ପଡ଼ିଥିବା ଏକ ପଥର ସାହାଯ୍ୟରେ ସିଦ୍ଧେଶ୍ବରଙ୍କ ମୁଣ୍ତରେ ଛେଚି ଦେବାରୁ ସେ ମଧ୍ୟ ଆହତ ହୋଇଥିଲେ। ଏଥିରେ ସିଦ୍ଧେଶ୍ବର ଉତ୍‌କ୍ଷିପ୍ତ ହୋଇ ଭୁଜାଲିରେ ରାକେଶଙ୍କ ପେଟକୁ ୬ଥର ଆଘାତ ଦେଇଥିଲେ। ଘଟଣା ସ୍ଥଳରେ ଉଭୟଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସ୍ଥାନୀୟ ଓ ପରିବାର ଲୋକଙ୍କ ସହାୟତାରେ ଦୁଇ ଆହତଙ୍କୁ ପ୍ରଥମେ ଜଟଣୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ରାକେଶଙ୍କ ମୃତ୍ୟୁ ଘଟିଥିବା ବେଳେ ସିଦ୍ଧେଶ୍ବରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।। ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲକୁ ପଠାଯାଇଛି। ସୂଚନା ପାଇ ପୁଲିସ ଥାନାରେ ୬୨/୧୯ନମ୍ବର ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର