ଜୁଆଡ଼ିଙ୍କ ପଥର ମାଡ଼ ଆଇପିଏସ୍‌ ଅଧିକାରୀ ଅଚେତ

ପୁଲିସ୍‌ ଉପରେ ସଂଘବଦ୍ଧ ଆକ୍ରମଣ, ୨୦ ଗିରଫ

ମାଲକାନଗିରି: ଜୁଆଡ଼ିଙ୍କ ପଥର ମାଡ଼ରେ ଜଣେ ଆଇପିଏସ୍‌ ଅଧିକାରୀ ଆହତ ହୋଇଛନ୍ତି। ମୁଣ୍ଡରେ ପଥର ମାଡ଼ ହେବାରୁ ସେ ପ୍ରଥମେ ଅଚେତ ହୋଇଯାଇଥିଲେ। ପୁଲିସ୍‌ କର୍ମଚାରୀଙ୍କ ସହାୟତାରେ କିଛି ସମୟ ପରେ ତାଙ୍କର ଚେତା ଫେରିଥିଲା। ଏହି ସମୟରେ ଦୀର୍ଘ ସମୟ ଧରି ପୁଲିସ୍‌ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଶେଷରେ ପୁଲିସ ବୁଝାସୁଝା କରି ୨୦ଜଣଙ୍କୁ ଗିରଫ କରିବା ପାଇଁ ସକ୍ଷମ ହେ‌ାଇଛି। ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମ୍‌ଭି-୨୩ରେ ଏହି ଘଟଣା ଘଟିଛି।
ଏମ୍‌ଭି-୨୩ରେ ଏବେ ଚାଲିଥିବା ଯାତ୍ରାରେ ଜୁଆ ଖେଳକୁ ଲୋକମାନେ ପରମ୍ପରା ଭାବେ ଗ୍ରହଣ କରିନେଇଛନ୍ତି। ଗତକାଲି ରାତିରେ ଯୁବ ଆଇପିଏସ ଅଧିକାରୀ ତଥା ମାଲକାନଗିରି ଏସ୍‌ଡିପିଓ ଶ୍ରବଣ ବିବେକ ଏମ.ଙ୍କ ନେତୃତ୍ବରେ ଏକ ପୁଲିସ୍‌ର ଟିମ୍‌ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ଯାତ୍ରାରେ ପୁଲିସ୍‌ ପହଞ୍ଚିବା ଦେଖି ଜୁଆଡି ଦୌଡ଼ି ପଳାଇଥିଲେ। ଯେଉଁ ଅଳ୍ପ କିଛି ଜଣ ଦୌଡ଼ି ପାରି ନଥିଲେ ସେମାନଙ୍କୁ ଘେରି ଯାଇ ପୁଲିସ କାବୁ କରିଥିଲା। ତେବେ, ସେମାନଙ୍କୁ ଗାଡ଼ିରେ ବସାଇ ଥାନାକୁ ଆଣିବା ବେଳକୁ ପୁଲିସ ଉପରେ ଅତର୍କିତ ଅାକ୍ରମଣ କରାଯାଇଥିଲା।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ‘‌େଯଉଁମାନେ କିଛି ସମୟ ପୂର୍ବରୁ ଦୌଡ଼ାଦୌଡ଼ି ହୋଇ ପଳାଇ ଯାଇଥିଲେ, ସେମାନେ ହିଁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଟେକା, ପଥର ପକାଇ ଅସ୍ତବ୍ୟସ୍ତ କରି ଦେଇଥିଲେ। ଏସ୍‌ଡିପିଓ ଶ୍ରବଣ ବିବେକଙ୍କ ମୁଣ୍ଡରେ ଏକ ବଡ଼ ପଥର ବାଜିବାରୁ ସେ ଅଚେତ୍‌ ହୋଇଯାଇଥିଲେ। ସାଥୀ ପୁଲିସ କର୍ମଚାରୀଙ୍କ ସହାୟତାରେ ତାଙ୍କ ଚେତା ଫେରିଥିଲା।’
ଅନ୍ୟପକ୍ଷରେ, ପୁଲିସର ଚଢ଼ାଉକୁ ବିରୋଧ କରି ଶହ ଶହ ଲୋକ ଯାତ୍ରାରେ ପହଞ୍ଚି ଯାଇଥିଲେ। ତେଣୁ ଦୀର୍ଘ ସମୟ ଧରି ଜନସାଧାରଣ ଓ ପୋଲିସ ମଧ୍ୟରୁ ବାକ୍‌ ଯୁଦ୍ଧ ଚାଲିଥିଲା। ଶେଷରେ ପୁଲିସ ଲୋକଙ୍କୁ ବୁଝାସୁଝା କରି ୨୦ ଜଣଙ୍କୁ ଗିରଫ କରିବା ସହ ୨୬ ହଜାର ୯୧୦ ଟଂକା ଏବଂ ୧୦ରୁ ଊର୍ଧ୍ବ ମୋବାଇଲ ଫୋନ ଜବତ କରିବାକୁ ସକ୍ଷମ ହୋଇଥିଲା। ସମସ୍ତ ଜୁଆଡିକୁ ଆଜି କୋର୍ଟଚାଲାଣ କରାଯାଇଛି। ସେହିପରି ଚିକିତ୍ସା ପରେ ଆହତ ଏସଡିପିଓ ସୁସ୍ଥ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର