ବାଲିଅନ୍ତା ଥାନା ପୁଲିସକୁ ଠେଙ୍ଗାମାଡ଼ : ୫ ଆହତ, ଜଣେ ଗୁରୁତର

ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ପଞ୍ଚଳ ଗ୍ରାମ ଭୋଇସାହିକୁ ତଦନ୍ତରେ ଯାଇଥିବା ବାଲିଅନ୍ତା ଥାନା ପୁଲିସ ଟିମ୍‌କୁ ଆଜି ସନ୍ଧ୍ୟାରେ ନିର୍ଧୁମ ମାଡ଼ ହୋଇଛି। ଦୀର୍ଘଦିନ ଧରି ରାସ୍ତା ଭାବେ ବ୍ୟବହୃତ ହେଉଥିବା ଥିବା ଏକ ବିବାଦୀୟ ଜମିର ତଦନ୍ତ ପାଇଁ ପୁଲିସ ଉକ୍ତ ସାହିକୁ ଯାଇଥିଲା। ଉତ୍ତ୍ୟକ୍ତ ଲୋକଙ୍କ ଠେଙ୍ଗା ମାଡ଼ରେ ଜଣେ ଅଧିକାରୀ ଓ ଗୃହରକ୍ଷୀଙ୍କ ସମେତ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଅନ୍ୟ ୪ ଜଣ ପୁଲିସ ସାମାନ୍ୟ ଆହତ ହୋଇ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିବା ବେଳେ ତଦନ୍ତ ଦାୟିତ୍ୱରେ ଥିବା ଅଧିକାରୀ ଜଣଙ୍କୁ ସେମାନେ ନିର୍ଧୁମ ଛେଚି ୨ ଘଣ୍ଟାକାଳ ଅଟକ ରଖିଥିଲେ। ଏନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଆହତ ପୁଲିସ କର୍ମଚାରୀ ଓ ଅଧିକାରୀଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ପାଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ବାଲିଅନ୍ତା ଥାନା ଅଧିକାରୀ ସୁଜିତ ଦାସ ଘଟଣାସ୍ଥଳରେ ପହଞ୍ଚି ଅଟକ ପୁଲିସ ଅଧିକାରୀ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ପ୍ରାପ୍ତ ସୂଚନାନୁଯାୟୀ ଅନ୍ୟବର୍ଗର ଜଣେ ବ୍ୟକ୍ତିଙ୍କର ସ୍ଥିତିବାନ ଜମିକୁ ସାହିବାସିନ୍ଦାମାନେ ଜବରଦଖଲ କରି ରାସ୍ତା ଭାବେ ବ୍ୟବହାର କରୁଛନ୍ତି। ଏନେଇ ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଆଜି ସକାଳେ ଅଧିକାରୀ ଜଣକ ମାମଲାର ତଦନ୍ତ ପାଇଁ ଆସିଥିବା ବେଳେ ସନ୍ଧ୍ୟାରେ ପୁଲିସ ଭ୍ୟାନ୍‌ ନେଇ ଆସିଥିଲେ। ଏନେଇ ବିଶେଷ କରି ସଂପୃକ୍ତ ଦୁଇ ପରିବାର ଏବଂ ସେମାନଙ୍କ ସମର୍ଥକମାନଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପରିବାରର ୮/୧୦ ଜଣ ଉଭୟ ମହିଳା ଓ ପୁରୁଷ ସଦସ୍ୟ ମିଶି ଠେଙ୍ଗାବାଡ଼ିରେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଗ୍ରାମରେ ପୁଲିସ ଫୋର୍ସ ମୁତୟନ ହୋଇଛି। ସ୍ଥାନୀୟ ସରପଞ୍ଚ ମୁରଲୀ ସାହୁ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଘଟଣା ନିର୍ବାଚନମଣ୍ଡଳୀରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର