ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାସଗଞ୍ଜରେ ପୁଲିସକର୍ମଚାରୀଙ୍କୁ ମାଡ଼ ମରାଯାଉଥିବାର ଏକ ଘଟଣା ସାମ୍ନାକୁ ଆସିଛି। ‌ତେବେ ଏହି ଭିଡିଓରେ ନଜର ଆସୁଥିବା ଦୁଇଜଣ କନଷ୍ଟେବଳ ଯୁବତୀଙ୍କୁ ଅସଦାଚରଣ କରିଥିବା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଧରିବା ପାଇଁ  ଯାଇପହଞ୍ଚିଥିଲେ। ଏହି ସମୟରେ ଅଭିଯୁକ୍ତ ଦୁଇଜଣ କନଷ୍ଟେବଳଙ୍କୁ ନିସ୍ତୁକମାଡ଼ ମାରିଥିବା ଜଣାପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ତିନିଜଣଙ୍କ ବିରୋଧରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

Advertisment

ଏହି ଘଟଣାକୁ ନେଇ କାସଗଞ୍ଜର ଏସପି କହିଛନ୍ତି,‘ନଭେମ୍ବର ୬ ତାରିଖରେ ପିଆରବି ୧୧୪୬କୁ ଡାଏଲ ୧୧୨ ମାଧ୍ୟମରେ ଥାନା ସିକନ୍ଦରପୁର ବୈଶ୍ୟର ଗ୍ରାମ କାଦରଗଞ୍ଜକୁ ଏକ ଇନପୁଟ ପ୍ରାପ୍ତ ହୋଇଥିଲା।

ଏହାର ଯାଞ୍ଚ ପାଇଁ ପିଆରବି(ପୁଲିସ ଗାଡ଼ି)ରେ ନିୟୋଜିତ ଥିବା ଦୁଇଜଣ କନଷ୍ଟେବଳ ଯୁବତୀଙ୍କ ଅସଦାଚରଣ କରିଥିବା ନେଇ ହୋଇଥିବା ଅଭିଯୋଗରେ ଅଭିଯୁକ୍ତ ନିକଟରେ ଯାଇ ପହଞ୍ଚିଥିଲେ। ଏହି ସମୟରେ ପୁଲିସକର୍ମଚାରୀଙ୍କୁ ଦେଖି ଅଭିଯୁକ୍ତ ହେମଚନ୍ଦ୍ର ଜାଟବ ତାର ସାଥୀଙ୍କ ସହ ମିଶି କନଷ୍ଟେବଳଙ୍କ ଉପରକୁ ଆକ୍ରମଣ କରିଥିଲା। ଏହି ଘଟଣାର କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଯାଞ୍ଚ ଚ‌ାଲିଛି।’

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଦୁଇଜଣ କନଷ୍ଟେବଳ ପୁଲିସ ଗାଡ଼ିରେ ବସିଥିବା ବେଳେ କିଏ ଦୁହିଁଙ୍କୁ ନିସ୍ତୁକମାଡ଼ ମାରି ଚାଲୁଛି ତ ଆଉ କିଏ ଚାପୁଡ଼ା ପ‌ରେ ଚାପୁଡ଼ା ମାରି ଚାଲିଛନ୍ତି। ତେବେ ଦୁଇଜଣ କନଷ୍ଟେବଳ ଏପରି ନକରିବାକୁ ଦୁର୍ବୃତ୍ତଙ୍କୁ ହାତଯୋଡ଼ି ଅନୁରୋଧ କରୁଛନ୍ତି। କେବଳ ଏତିକି ନୁ‌ହେଁ ଅଭିଯୁକ୍ତ ଓ ତାର ସାଥୀମାନେ ଦୁଇଜଣ କନଷ୍ଟେବଳଙ୍କ ଖାକି ପୋଷାକ ଫାଡ଼ି ଦେଉଛନ୍ତି।। ଏଭଳି ମାଡ଼ର ଶିକାର ପରେ ଦୁଇଜଣ କନଷ୍ଟେବଳ ଯନ୍ତ୍ରଣ‌ାରେ କାନ୍ଦି ପକାଇଥିଲେ।