ଭୁବନେଶ୍ୱର: ଖାରବେଳନଗର ଥାନା ଅଧୀନ ରେଡ୍କ୍ରସ ଟ୍ରାଫିକ ଛକରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଲଙ୍କୁ ଆକ୍ରମଣ ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ତା’ ନାଁ ସୁଶାନ୍ତ ନାୟକ (୩୭)। ଘର ୟୁନିଟ୍-୪ ଆରବିଆଇ କଲୋନିରେ। ସୁଶାନ୍ତ ଜଣେ ପ୍ରମୁଖ ରାଜନୈତିକ ଦଳର ଆଗଧାଡ଼ିର ନେତା ବୋଲି ଜଣାପଡ଼ିଛି। ଗୁରୁବାର ରାତି ପ୍ରାୟ ୯ଟାରେ ସୁଶାନ୍ତ ଏଜି ଛକରୁ ନିକୋ ପାର୍କ ଆଡ଼କୁ ଯାଉଥିଲେ। ରେଡ୍କ୍ରସ ଛକରେ ଟ୍ରାଫିକ୍ ସିଗ୍ନାଲ ନ ମାନି ସେ ପଳାଉଥିଲେ। ସେଠାରେ କାର୍ଯ୍ୟରତ ମହିଳା କନଷ୍ଟେବଲଜଣଙ୍କ ସୁଶାନ୍ତକୁ ଅଟକାଇଥିଲା। ଏଥିରେ ସୁଶାନ୍ତ ଉତ୍କ୍ଷିପ୍ତ ହୋଇ ଗାଳିଗୁଲଜ କରିଥିଲେ। ମହିଳା କନଷ୍ଟେବଲ ପ୍ରତିବାଦ କରିବାରୁ ସୁଶାନ୍ତ ତାଙ୍କୁ ଟଣାଓଟରା କରିବା ସହ ମାଡ଼ ମାରିଥିଲେ। ଫଳରେ ତାଙ୍କ ହାତରେ ଆଘାତ ଲାଗିବା ସହ ମୋବାଇଲ୍ ଓ ଓ୍ଵାକିଟକି ତଳେ ପଡ଼ି ଭାଙ୍ଗି ଯାଇଥିଲା। ସୁଶାନ୍ତ ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ନେତା ହୋଇଥିବାରୁ ତାଙ୍କୁ ଅଟକାଇବାକୁ କେହି ସାହସ କରିପାରିନଥିଲେ। ଫଳରେ ମହିଳା କନଷ୍ଟେବଲଜଣଙ୍କ ପିସିଆରକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ। ପିସିଆର ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସୁଶାନ୍ତ ସେଠାରୁ ପଳାଇଥିଲେ। ଏନେଇ କନଷ୍ଟେବଲଜଣଙ୍କ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ସିସିଟିଭି ଫୁଟେଜ୍ରୁ ପୁଲିସ ସୁଶାନ୍ତକୁ ଚିହ୍ନଟ କରି ତାକୁ ଗିରଫ କରିଥିଲା।
କନଷ୍ଟେବଲଙ୍କୁ ମାଡ଼ ମାରି ଯୁବକ ଗିରଫ
/sambad/media/post_attachments/wp-content/uploads/2018/07/Drug-Peddler-arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)