୩ ଟ୍ରକ୍‌ ଚାଳକଙ୍କୁ ଭୁଜାଲି ଚୋଟ

ଖଣ୍ଡଗିରି: ବୁଧବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥରେ ୨ଜଣ ହାଇୱେ ଲୁଟେରା ଆତଙ୍କରାଜ୍‌ ସୃଷ୍ଟି କରିଥିଲେ। ତିନି ତିନିଟି ଟ୍ରକ୍‌ର ଡ୍ରାଇଭରଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟିବାକୁ ଉଦ୍ୟମ କରିଥିଲେ। ଲୁଟେରାଙ୍କ ଆକ୍ରମଣରେ କଟକ ଜିଲ୍ଲା ମାହାଙ୍ଗା ଥାନା ଉଷୁମାର ଟ୍ରକ୍‌ ଚାଳକ ଧନେଶ୍ୱର ବେହେରା ଗୁରୁତର ହୋଇଛନ୍ତି। ଏ ସଂପର୍କରେ ଯାଁଳା ଫାଣ୍ଡିରେ ଅଭିଯୋଗ ହୋଇଛି।  ରାତି ପ୍ରାୟ ୧ଟା ବେଳେ ପିତାପଲ୍ଲୀ ଛକସ୍ଥିତ ଏକ ଢାବା ନିକଟରେ ଠିଆ ହୋଇଥିବା ଟ୍ରକ୍‌ ଉପରେ ପ୍ରଥମେ ଆକ୍ରମଣ ହୋଇଥିଲା। ଗୋଟିଏ ବାଇକ୍‌ରେ ଥିବା ଦୁଇ ଲୁଟେରା ଟ୍ରକ୍‌ ଚାଳକଙ୍କୁ ଭୁଜାଲି ଦେଖାଇ ଟଙ୍କା ମାଗିଥିଲେ ଓ ସେ ବିରୋଧ କରିବାରୁ ଭୁଜାଲିରେ ଚୋଟ ପକାଇ ଫେରାର୍‌ ହୋଇଯାଇଥିଲେ। ପରେ ସେମାନେ ଯାଁଳା ଓଗାଳପଡ଼ା ମା’ ବାଟ ଭୁଆସୁଣୀ ମନ୍ଦିର ନିକଟରେ ଏକ ଟ୍ରକ୍‌କୁ ଅଟକାଇ ଚାଳକ ଧନେଶ୍ୱର ବେହେରାଙ୍କୁ ଭୁଜାଲିରେ ହାଣି ପକାଇଥିଲେ। ଏହାପରେ ସେମାନେ ଯାଁଳା ପେଟ୍ରୋଲ୍‌ ପମ୍ପ ନିକଟରେ ଅନ୍ୟ ଏକ ଟ୍ରକ୍‌କୁ ଅଟକାଇ ଟ୍ରକ୍‌ ଚାଳକ ଗାଡ଼ି ନ ଅଟକାଇ ପଳାଇବାକୁ ବସିଥିବା ବେଳେ ଜଣେ ଲୁଟେରା ଭୁଜାଲିରେ ଚୋଟ ମାରିଥିଲା। ଚୋଟ ଟ୍ରକ୍‌ରେ ବାଜିବାରୁ ଚାଳକ ରକ୍ଷା ପାଇ ଯାଇଥିଲେ।

ସମ୍ବନ୍ଧିତ ଖବର