ଟ୍ରକ୍‌ ଚାଳକଙ୍କୁ ଭୁଜାଲିରେ ଆକ୍ରମଣ, ୨୦ ହଜାର, ମୋବାଇଲ ନେଇଗଲେ ଦୁର୍ବୃତ୍ତ

ଖଣ୍ଡଗିରି: ସୋମବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ବଜାର ଛକରେ ଦୁର୍ବୃତ୍ତମାନେ ଜଣେ ଟ୍ରକ୍‌ ଚାଳକଙ୍କୁ ଭୁଜାଲିରେ ଆକ୍ରମଣ କରି ଲୁଟ୍‌ କରିଛନ୍ତି। ଆହତ ଟ୍ରକ୍‌ ଚାଳକ ହେଲେ କଟକ ବଡ଼ମ୍ବା ଥାନା ସିନ୍ଦୁରିଆ ଅଞ୍ଚଳର ଜୟ ସେନାପତି। ଲୁଟେରାମାନେ ତାଙ୍କଠାରୁ ୨୦ ହଜାର ଟଙ୍କା ଓ ମୋବାଇଲ୍‌ ଲୁଟି ନେଇଛନ୍ତି। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଛାନ୍‌ଭିନ୍ ଆରମ୍ଭ କରିଥିଲେ ବି ଲିଖିତ ଅଭିଯୋଗ ନଥିବାରୁ ତଦନ୍ତ ବିଶେଷ ଆଗେଇନଥିବା ଜଣାପଡ଼ିଛି।

ସୂଚନାନୁସାରେ, ଟ୍ରକ୍‌(ଓଡି୦୫ଏଲ୍‌-୮୫୦୭)ରେ ଭୁବନେଶ୍ବରରୁ ମାଲ୍ ନେଇ ଜୟ ବ୍ରହ୍ମପୁର ଯାଉଥିଲେ। ରାତି ପ୍ରାୟ ସାଢ଼େ ୧ଟାରେ ସେ ଗଙ୍ଗପଡ଼ା ଛକ ପାର୍ ହେଉଥିଲେ। ଏହି ସମୟରେ ୨ଟି ବାଇକ୍‌‌ ତାଙ୍କ ଟ୍ରକ୍ ସମ୍ମୁଖକୁ ଆସି ଯାଇଥିଲା। ୪ଜଣ ଦୁର୍ବୃତ୍ତ ତାଙ୍କୁ ଗାଡ଼ି ଅଟକାଇବା ପାଇଁ ଧମକ ଦେଇଥିଲେ। ଜୟ ଗାଡ଼ି ଅଟକାଇବା ମାତ୍ରେ ଜଣେ ଦୁର୍ବୃତ୍ତ ହଠାତ୍ ଏକ ଭୁଜାଲିରେ ତାଙ୍କ କାନ୍ଧକୁ ଗୋଟିଏ ଚୋଟ ପକାଇଥିଲା। ଭୟରେ ଜୟ ତଳେ ବସି ପଡ଼ିଥିଲେ। ଅନ୍ୟ ଦୁର୍ବୃତ୍ତମାନେ ଟ୍ରକ୍‌ ଭିତରକୁ ପଶି ଜୟ ରଖିଥିବା ଟଙ୍କା ବ୍ୟାଗ୍‌ ଓ ମୋବାଇଲ୍‌ ନେଇ ଯାଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ଭୁବନେଶ୍ବର ଦିଗରେ ପଳାଇଥିଲେ। ପରେ ଜୟ ଗଙ୍ଗପଡ଼ା ବଜାରର କିଛି ଲୋକଙ୍କ ସହଯୋଗରେ ମାଲିକଙ୍କୁ ଫୋନ୍‌ କରିଥିଲେ। ମାଲିକ ଘଟଣାସ୍ଥ‌ଳରେ ପହଞ୍ଚି ଜୟଙ୍କୁ ଖୋର୍ଧା ହସ୍ପିଟାଲରେ ଚିକତ୍ସା କରାଇଥିଲେ। ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କଠାରୁ ଲୁଟ୍ ବାବଦରେ ଖବର ସଂଗ୍ରହ କରିଥିଲା।

ସମ୍ବନ୍ଧିତ ଖବର