ବାଇକ୍‌ ପୋଡ଼ି ପ୍ରତିବାଦରେ ହାଣିଲେ

ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଉତ୍ତେଜନା, ପୁଲିସ ମୁତୟନ

ଭୁବନେଶ୍ୱର : ବଡ଼ଗଡ଼ ଥାନା ଅଧୀନ ବଡ଼ଗଡ଼ ହାଟ ନିକଟରେ କର୍ପୋରେଟରଙ୍କ ଦିଅରଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆହତ ଯୁବକ ଜଣକ ହେଲେ ବଡ଼ଗଡ଼ ଗ୍ରାମର ରୁଦ୍ର ପାଟ୍ଟଶାଣୀ(୪୮)। ତାଙ୍କ ବେକ, କାନ୍ଧ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ଚିକିତ୍ସା ଲାଗି ତାଙ୍କୁ ଲୁଇସ୍‌ ରୋଡ଼୍‌ ନିକଟ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଛି। ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ବାଇକ୍‌ ପୋଡ଼ି ଘଟଣାକୁ କେନ୍ଦ୍ରକରି ଏପରି ଆକ୍ରମଣ କରାଯାଇଛି ବୋଲି କୁହାଯାଉଛି।

ପୁଲିସ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ବଡ଼ଗଡ଼ ଅଞ୍ଚଳର କର୍ପୋରେଟର ରଚନା ପାଟ୍ଟଶାଣୀଙ୍କ ଦିଅର ରୁଦ୍ର ବଡ଼ଗଡ଼ ହାଟରେ ଠିଆ ହୋଇଥିଲେ। ହଠାତ୍‌ ତିନି ଜଣ ଯୁବକ ଏକ ବାଇକ୍‌ରେ ଆସି ଖଣ୍ଡା ଓ ଭୁଜାଲିରେ ରୁଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ରୁଦ୍ରଙ୍କ ବେକ, କାନ୍ଧ ଓ ମୁଣ୍ଡରୁ ରକ୍ତସ୍ରାବ ହୋଇଥିଲା। ସେ ଘଟଣାସ୍ଥଳରେ ତଳେ ପଡ଼ି ଯାଇଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକ ଏହା ଦେଖି ତାଙ୍କ ପରିବାରକୁ ଖବର ଦେବା ସହ ଲୁଇସ୍‌ ରୋଡ୍‌ ନିକଟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତିି କରିଥିଲେ। ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବଡ଼ଗଡ଼ ଛକଠାରେ ଫୋର୍ସ ମୁତୟନ କରାଯାଇଥିଲା। ଗତକାଲିର ବାଇକ୍‌ ପୋଡ଼ି ଘଟଣାକୁ କେନ୍ଦ୍ର କରି ଏପରି ଆକ୍ରମଣ ହୋଇଥାଇପାରେ ବୋଲି ଜୈନିକ ପୁଲିସ କର୍ମଚାରୀ କହିଛନ୍ତି। ଗତକାଲି ରାତି ୯ଟାରେ ବଡ଼ଗଡ଼ ଗ୍ରାମର ରାକେଶ ମହାନ୍ତି(ଚିଣ୍ଟୁ) ବିଜେବି କଲେଜ ପଛପାଖ ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ୧୫ରୁ ୨୦ଜଣ ଯୁବକ ଖଣ୍ଡା ଓ ଠେଙ୍ଗା ଧରି ଆକ୍ରମଣ କରିବାକୁ ଆସିଥିଲେ। ତେବେ ଜୀବନ ବିକଳରେ ଚିଣ୍ଟୁ ବାଇକ୍‌ରେ ଯାଇଥିବା ବେଳେ ବାଇକ୍‌ ଷ୍ଟାଟ୍‌ ହୋଇନଥିଲା। ତେଣୁ ସେ ବାଇକ୍‌ଟିକୁ ଫୋପାଡି ପଳାଇଥିଲେ। ଆଉ ଆକ୍ରମଣକାରୀ ଯୁବକମାନେ ଚିଣ୍ଟୁଙ୍କ ବାଇକ୍‌କୁ ପୋଡ଼ି ଦେଇଥିଲେ। ଏନେଇ ବଡ଼ଗଡ଼ ଥାନାରେ ଚିଣ୍ଟୁ ଅଭିଯୋଗ କରିଥିଲେ। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏପରି ହୋଇଛି ବୋଲି ପୁଲିସ ଅନୁମାନ କରିଛି।

ସମ୍ବନ୍ଧିତ ଖବର