ଖଣ୍ଡଗିରି : ଗତରାତିରେ ଆଇଗିଣିଆ ଓଭରବ୍ରିଜ୍ ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ସ୍ଥାନୀୟ ସରକନ୍ତରା ଗାଁର ବଳରାମ ମହାପାତ୍ର(୪୭)। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତି କରାଯାଇଛି ଓ ସେ ଏବେ ସେଠାରେ ଚିକିତ୍ସାଧୀନ ଅଛନ୍ତି। ପୂର୍ବ ଶତୃତାକୁ କେନ୍ଦ୍ର କରି ବଳରାମଙ୍କ ପଡ଼ୋଶୀ ଲାଲା ଷଡ଼ଙ୍ଗୀ କେତେକ ବାହାର ଗୁଣ୍ଡାଙ୍କୁ ସାଙ୍ଗ କରି ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ସହ ଲୁଟପାଟ୍ କରିଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ସୂଚନାନୁସାରେ ରବିବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ବଳରାମ କୌଣସି କାମ ସାରି ବାଇକ୍ ଯୋଗେ ଆଇଗିଣିଆ ଆଳୁଗଦି ଭିତରୁ ଏକୁଟିଆ ଘରକୁ ଫେରୁଥିଲେ। ସେ ଓଭରବ୍ରିଜ୍ ପାର୍ ହୋଇ ଡୁମୁଡୁମା ହାଉସିଂବୋର୍ଡ କଲୋନି ଦେଇ ସରକନ୍ତରାସ୍ଥିତ ତାଙ୍କ ଘରକୁ ଯାଉଥିିଲେ। ମାତ୍ର ସେ ଓଭରବ୍ରିଜ୍ ପାର୍ ହୋଇ କିଛି ବାଟ ଯାଇଥିବାବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ଛକି ରହିଥିବା ୪ ଜଣ ତାଙ୍କୁ ଅଟକାଇ ଅତର୍କିିତ ଆକ୍ରମଣ କରିଥିଲେ। ଭୁଜାଲି ଚୋଟରେ ବଳରାମ ଆହତ ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଗୁରୁତର ଆହତ ଅବସ୍ଥାରେ ବଳରାମଙ୍କୁ ଏମ୍ସକୁ ନିଆଯାଇଥିଲା। ଖବର ପାଇ ବଳରାମଙ୍କ ପରିବାର ଲୋକେ ଏମ୍ସରେ ପହଞ୍ଚି ତାଙ୍କଠାରୁ ଆକ୍ରମଣକାରୀମାନଙ୍କ ବାବଦରେ ଜାଣିବାକୁ ପାଇଥିଲେ। ଆଜି ସକାଳୁ ବଳରାମଙ୍କ ସ୍ତ୍ରୀ ସୀତା ମହାପାତ୍ର ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ପଡ଼ୋଶୀ ଲାଲା ଷଡ଼ଙ୍ଗୀ, ତାଙ୍କ ପୁଅ ଆକାଶ ଷଡ଼ଙ୍ଗୀ, ବଳିଆ ସେଠୀ ଓ ବିଶ୍ୱଜିତ୍ ଏମିତି ୪ ଜଣ ମିଶି ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ ଯେ ବଳରାମ ଓ ଲାଲାଙ୍କ ପରିବାର ମଧ୍ୟରେ ଦୀର୍ଘ ବର୍ଷ ଧରି ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଛି। ପ୍ରାୟ ୧୦/୧୨ ବର୍ଷ ତଳେ ଲାଲାଙ୍କ ଶଳା ଅଲା ମହାପାତ୍ରଙ୍କ ହତ୍ୟାକାଣ୍ଡ ପରଠାରୁ ଏହି ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଛି। ଲାଲାଙ୍କ ପୁଅ ଆକାଶ ଓ ଅଗ୍ନି ବଡ଼ ହେବା ପରେ ଏହି ଗଣ୍ଡଗୋଳ ବଢ଼ି ବଢ଼ି ଚାଲିଛି। ଆକାଶ ଓ ଅଗ୍ନି ଦୁଇ ଭାଇ ବେଶ୍ କିଛି ଦିନ ହେଲା ଡୁମୁଡୁମା ଅଞ୍ଚଳରେ ବିଭିନ୍ନ ଅପରାଧ ଘଟାଇଚାଲିଛନ୍ତି। ସେମାନେ ମଧ୍ୟ ମାର୍ପିଟ୍, ଛିନ୍ତାଇ, ରାହାଜାନୀ ଓ ବାଇକ୍ ଲୁଟ୍ ଭଳି ଅପରାଧ ଘଟାଇ ଜେଲ୍ ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/arjuna-attack.jpg)