ଚନ୍ଦକା ଥାନା କାଟେଣୀ ଗାଁର ଜଣେ ଯୁବକଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଖଣ୍ଡଗିରି : ବୁଧବାର ରାତି ପ୍ରାୟ ସାଢ଼େ ୮ଟାବେଳେ ଚନ୍ଦକା ଥାନା କାଟେଣୀ ଗାଁର ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ତିଲୁଆ ସେନାପତି(୩୨)। ତାଙ୍କୁ ଗୁରୁତର ଅବସ୍ଥା‌ରେ ପ୍ରଥମେ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚନ୍ଦକା ଥାନା ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଚଢ଼ଉ ଆରମ୍ଭ କରିଥିଲେ ବି ସେମାନଙ୍କ ଟେର୍ ପାଇନଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି ବୋଲି ଚନ୍ଦକ‌ା ଥାନା ପୁଲିସ ସୂଚନା ଦେଇଛି। ସୂଚନାନୁସାରେ ତିଲୁଆ କାଟେଣୀ ଗାଁ ବଜାରସ୍ଥିତ ଏକ ଦୋକାନ ପାଖରେ ଠିଆ ହୋଇଥିଲେ। ଦୁଇଟି ବାଇକ୍‌ରେ ଚାରି ଜଣ ଯୁବକ ମୁହଁରେ ଗାମୁଛା ବାନ୍ଧି ସେଠାରେ ପହଞ୍ଚିଥିଲେ। ହଠାତ୍ ସେମାନେ ଖଣ୍ଡା, ଭୁଜାଲି ଓ ଫାର୍ଶା ଭଳି ମାରଣାସ୍ତ୍ର ବାହାର କରି ତିଲୁଆଙ୍କୁ ଆକ୍ରମଣ କରିଥିଲେ। ତିଲୁଆ ପ୍ରାଣବିକଳରେ ଦୌଡ଼ିବାକୁ ଲାଗିଥିଲେ ବି ସେମାନେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଚୋଟ ପକାଇ ଚାଲିଥିଲେ। ଫଳରେ ତାଙ୍କ ପିଠି ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ବିକଳରେ ସେ ଏକ ଦୋକାନରେ ପଶିଯିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ବାଇକ୍‌ ଯୋଗେ ଫେରାର୍ ହୋଇ ଯାଇଥିଲେ। ଦୁର୍ବୃତ୍ତମାନେ କଣ୍ଟାବାଡ଼ ଅଞ୍ଚଳର ବୋଲି ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର