ଫେରାର୍‌ ଲୁଟେରା ଗିରଫ; ଯନ୍ତ୍ରପାତି ଜବତ

ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ ଘଟଣା

ଭୁବନେଶ୍ୱର: ସହିଦନଗର ଅଞ୍ଚଳରେ ଥିବା ଏକ ଏସ୍‌ବିଆଇ ବ୍ୟାଙ୍କ ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ ଘଟଣାରେ ଫେରାର୍‌ ଥିବା ଲୁଟେରାକୁ ୬ମାସ ପରେ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେ ହେଲା ଗଞ୍ଜାମ ଜିଲ୍ଲା ଖଲିକୋଟ ଅଞ୍ଚଳର ବୈକୁଣ୍ଠ ଗୌଡ଼(୨୬)। ଏଠାରେ ଇନ୍‌ଫୋସିଟି ଥାନା ଅଧୀନ ମାରୁତିଭିଲ୍ଲା ଅଞ୍ଚଳରେ ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିଲା। ଗତ ୨୦୧୫ ମସିହା ସେପ୍ଟେମ୍ବର ମାସରେ ବୈକୁଣ୍ଠ ଓ ତାର ସହଯୋଗୀ ସହିଦନଗର ହାପି ଆଓ୍ଵାର ସ୍କୁଲ୍‌ ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ ପାଇଁ ଉଦ୍ୟମ କରିଥିଲେ। ହେଲେ ଏଟିଏମ୍‌ ଭାଙ୍ଗୁଥିବା ସମୟରେ ଜଣେ ସ୍ଥାନୀୟ ଲୋକ ଦେଖି ପାଟି କରିବାରୁ ବୈକୁଣ୍ଠ ଓ ତାର ସହଯୋଗୀ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଏନେଇ ଏଟିଏମ୍‌ ସଂସ୍ଥାର ମ୍ୟାନେଜର ଜ୍ଞାନଶଙ୍କର ଦେବାଙ୍ଗନ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ସିସିଟିଭି ଫୁଟେଜ୍‌ ଯାଞ୍ଚ ବେଳେ ପୁଲିସ ବୈକୁଣ୍ଠକୁ ଓ ତାର ସହଯୋଗୀକୁ ଚିହ୍ନଟ କରିଥିଲା। ଜ୍ଞାନଶଙ୍କରର ମୋବାଇଲ୍‌ ଟ୍ରାକିଂରୁ ପୁଲିସ ତା’ର ଠିକଣା ଠାବ କରିଥିଲା। ବୁଧବାର ବିଳମ୍ବିତ ରାତିରେ ପୁଲିସର ଏକ ଟିମ୍‌ ମାରୁତି ଭିଲ୍ଲା ଅଞ୍ଚଳରେ ଥିବା ଜ୍ଞାନଶଙ୍କର ଘରେ ଚଢ଼ଉ କରି ତା’କୁ ଗିରଫ କରିବା ସହ ଏଟିଏମ୍‌ ଭାଙ୍ଗିବା ପାଇଁ ବ୍ୟବହୃତ କେତେକ ଯନ୍ତ୍ରପାତି ଜବତ କରିଥିଲା। ପୁଲିସ ଥାନାକୁ ଆଣି ପଚରା ଉଚରା ପରେ ତାକୁ କୋର୍ଟ ଚାଲାଣ କରିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ସହଯୋଗୀଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖିଛି।

ସମ୍ବନ୍ଧିତ ଖବର