ଟ୍ରେନ୍‌ରେ ନାବାଳିକାକୁ ଗଣଦୁଷ୍କର୍ମ ଉଦ୍ୟମ : ଚଳନ୍ତା ଟ୍ରେନ୍‌ରୁ ଡେଇଁଲେ ମା’-ଝିଅ

ପୁଲିସ ଧରିନେବା ପରେ ପୁଣି ଫେରିଆସି ଅସଦାଚରଣ କଲେ

କାନପୁର: ହାଓ୍ଵଡ଼ା-ଜୋଧପୁର ଏକ୍ସପ୍ରେସ ଟ୍ରେନ୍‌ରେ ୧୦ରୁ ୧୫ ଜଣ ନରରୂପୀ ରାକ୍ଷସଙ୍କ ଗଣଦୁଷ୍କର୍ମ ଉଦ୍ୟମରେ ଆତଙ୍କିତ ହୋଇ ଜଣେ ୧୫ ବର୍ଷୀୟା ନାବାଳିକା ନିଜ ମା’ଙ୍କ ସହ ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଟ୍ରେନ୍‌ରୁ ଡେଇଁବାର ପାଖାପାଖି ୨ ଘଣ୍ଟା ପରେ ସେମାନଙ୍କ ଚେତା ଫେରିଥିଲା। ପରେ ସେମାନେ ନିକଟ ଷ୍ଟେସନ୍‌ରେ ପହଞ୍ଚି ଜଣାଇବା ପରେ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟ ଏବେ ବିପଦମୁକ୍ତ ଥିବା ଜଣାଯାଇଛି।

ସୂଚନାନୁଯାୟୀ, ଦିଲ୍ଲୀର ଏକ ଘରୋଇ କମ୍ପାନିରେ କାମ କରୁଥିବା ସ୍ୱାମୀଙ୍କ ପାଖକୁ ସଂପୃକ୍ତ ମହିଳା ଜଣକ ନିଜ ଝିଅ ସହ ଯାଉଥିଲେ। ମା’-ଝିଅ କୋଲକାତାରୁ ହାଓ୍ଵଡ଼ା-ଜୋଧପୁର ଏକ୍ସପ୍ରେସ ଟ୍ରେନ୍‌ରେ ଚଢ଼ିଥିଲେ। ଟ୍ରେନ୍‌ଟି ହାଓ୍ଵଡ଼ା ଛାଡ଼ିବା ପରେ ପାଖାପାଖି ୧୦ରୁ ୧୫ ଜଣ ଅଜଣା ବ୍ୟକ୍ତି ଉକ୍ତ ବଗିରେ ନାବାଳିକାଙ୍କ ସହ ଥଟ୍ଟା ମଜା କରିବା ସହ ତାଙ୍କୁ ଟଣା ଓଟରା କରିଥିଲେ।

ଏ ସମ୍ପର୍କରେ ନାବାଳିକାଙ୍କ ମା’ ଆର୍‌ପିଏଫ୍‌ କନେଷ୍ଟବଳଙ୍କୁ ଦୁଇ ଦୁଇଥର ଜଣାଇଥିଲେ। ଫଳରେ କନେଷ୍ଟବଳ ଆସି ୩ଜଣ ଅଭିଯୁକ୍ତଙ୍କୁ ପ୍ରଥମେ ଧରିନେଇଥିଲେ। ମାତ୍ର ତାହାର ୩୦ ମିନିଟ୍‌ ପରେ ଦୁର୍ବୃତ୍ତମାନେ ପୁଣି ଫେରି ପୂର୍ବବତ୍‌ ଅସଦାଚରଣ ଆରମ୍ଭ କରିଥିଲେ। ଟ୍ରେନ୍‌ଟି ଚନ୍ଦାରିରୁ କାନପୁର ଷ୍ଟେସନ୍‌ ମଧ୍ୟରେ ଯାତ୍ରା କରୁଥିବା ବେଳେ ନାବାଳିକା ଜଣକ ଶୌଚାଳୟକୁ ଯାଉଥିଲେ। ଏହି ସମୟରେ ପାଖାପାଖି ୪ ରୁ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ଉଭୟ ମା’ ଝିଅ ସେମାନଙ୍କ କବଳରୁ ମୁକୁଳିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଶେଷରେ ସେମାନେ ଉପାୟଶୂନ୍ୟ ହୋଇ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ।

ସୌଭାଗ୍ୟବଶତଃ ମା’-ଝିଅ ଦୁହେଁ ବଞ୍ଚିଗଲେ ସିନା, ପାଖାପାଖି ୨ ଘଣ୍ଟା ପର୍ଯ୍ୟନ୍ତ ସେମାନେ ଅଚେତ ଅବସ୍ଥାରେ ପଡ଼ିରହିଥିଲେ। ଚେତା ଫେରିବା ପରେ ସେମାନେ ଚନ୍ଦାରି ରେଳ ଷ୍ଟେସନ୍‌ରେ ପହଞ୍ଚି ସବୁ କଥା ଜଣାଇଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଲାଲ୍‌ ଲାଜପତ ରାୟ ହସ୍ପିଟାଲ୍‌କୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର