ଯୁବକଙ୍କ ଉନ୍ମତ୍ତ କାଣ୍ଡ : ଘରୋଇ କଳିରୁ ମୋବାଇଲ୍‌ ଟାୱାର୍‌କୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ

ଉଦ୍ଧାର କଲା ଦମକଳ ବାହିନୀ

ବ୍ରହ୍ମପୁର : ଘରୋଇ କଳିକୁ କେନ୍ଦ୍ର କରି ଶନିବାର ଦିନ ଜଣେ ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ସ୍ତ୍ରୀ ସହ ଝଗଡ଼ା କରି ମୋବାଇଲ୍‌ ଟାୱାର୍‌ରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖବର ପାଇ ବ୍ରହ୍ମପୁର ଦମକଳ ବାହିନୀ ଓ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଯୁବକଙ୍କ ନାମ ଶିବରାମ ଗୌଡ଼(୩୦) ବୋଲି ଅଗ୍ନିଶମ ବିଭାଗ ସୂତ୍ରରୁ ପ୍ରକାଶ।

ସୂଚନା ଅନୁସାରେ ଦିଗପହଣ୍ଡି ଥାନା ଘୋଡ଼ାପଲ୍ଲୀର ଶିବରାମ ସଦର ଥାନା ଅନ୍ତର୍ଗତ ସୁକୁଣ୍ଡାରେ ବାହା ହୋଇଛନ୍ତି। କିଛି ମାସ ହେଲା ଶିବରାମ ତାଙ୍କ ପତ୍ନୀଙ୍କୁ ନେଇ ଶ୍ବଶୁର ଘର ଗାଁ ସୁକୁଣ୍ଡାରେ ଭଡ଼ାରେ ରହି ଆସୁଥିଲେ। ଶନିବାର ଅପରାହ୍ଣରେ କୌଣସି କାରଣକୁ ନେଇ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଶିବରାମ ଉତ୍ୟକ୍ତ ହୋଇ ଗାଁ ନିକଟରେ ଥିବା ଏକ ୧୫୦ଫୁଟ୍‌ର ମୋବାଇଲ୍‌ ଟାୱାର୍‌କୁ ଚଢ଼ି ଯାଇଥିଲେ। ଶିବରାମଙ୍କ ଏଭଳି କାଣ୍ଡ ଦେଖି ସେଠାରେ ଗ୍ରାମବାସୀ ରୁଣ୍ଡ ହୋଇ ଯାଇଥିଲେ। ତଳକୁ ଓହ୍ଲାଇବା ପାଇଁ ବାରମ୍ବାର କହିବା ପରେ ମଧ୍ୟ ସେ କାହାରି କଥା ଶୁଣି ନଥିଲେ। ଓଲଟା ତଳକୁ ଡେଇଁ ପଡ଼ିବେ ବୋଲି ଧମକ୍‌ ଦେଇଥିଲେ। ଏଥିନେଇ ଗ୍ରାମବାସୀ ଦମକଳ ବାହିନୀକୁ ଖବର କରିଥିଲେ। ବ୍ରହ୍ମପୁର ଫାୟାର୍‌ ଷ୍ଟେସନ୍‌ ଏଏଫ୍‌ଓ ସନାତନ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଦମକଳ ବାହିନୀର କର୍ମଚାରୀମାନେ ଟାୱାର୍‌ରେ ଚଢ଼ି ବହୁ ବୁଝାସୁଝା କରିବା ପରେ ଶେଷରେ ଶିବରାମଙ୍କୁ ତଳକୁ ଓହ୍ଲାଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ସଂଧ୍ୟା ୭ଟା ୧୫ମିନିଟରେ ଶିବରାମଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର