ବିଟେକ୍‌ ଛାତ୍ର ଗିରଫ, ୨୯ ମୋବାଇଲ୍‌ ଜବତ

ଭୁବନେଶ୍ବର: ମୋବାଇଲ୍‌ ଫୋନ ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ବିଟେକ୍‌ ଛାତ୍ରକୁ ଗିରଫ କରିଛି। ତା’ଠାରୁ ୨୯ଟି ମୋବାଇଲ୍‌ ଫୋନ ଜବତ ହୋଇଛି। ଯାହାର ମୂଲ୍ୟ ୬ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସେ ହେଲା ଭଦ୍ରକ ଜିଲ୍ଲା କୋରକଣା ଅଞ୍ଚଳର ରାଜେଶ ପରିଡ଼ା(୨୩)। ପୁଲିସ ସୂଚନା ମୁତାବକ, ଗତ ଜାନୁଆରୀ ୧୨ରେ କମର୍ସିଆଲ୍‌ ସର୍ଭିସ ନାମକ ଏକ କୋରିୟର ସଂସ୍ଥା ଏକ ମୋବାଇଲ୍‌ ଫୋନ ପ୍ୟାକେଟ୍‌ ବାଣୀବିହାରରୁ ବସ୍‌ରେ ବାଲେଶ୍ବର ପଠାଇଥିଲା। ମାତ୍ର ବସ୍‌ ବାଲେଶ୍ବରରେ ପହଞ୍ଚିବା ପରେ ପ୍ୟାକେଟ୍‌ ମିଳି ନ ଥିଲା। ଏ ସଂପର୍କରେ ଜାଣିବା ପରେ କୋରିୟର ସଂସ୍ଥାର ଆଶୁତୋଷ ଦାସ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ପରଦିନ ବସ୍‌ ଚାଳକ, କଣ୍ଡକ୍ଟର ଓ ହେଲ୍ପରଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା। ସେମାନେ ମୋବାଇଲ୍‌ ଫୋନ ନେଇ ନଥିବା କହିଥିଲେ। କିନ୍ତୁ ଭଦ୍ରକ ନିକଟରେ ଜଣେ ଯୁବକ ବସ୍‌ରୁ ଓହ୍ଲାଇବା ସମୟରେ ଏକ ପ୍ୟାକେଟ ନେଇଥିବା କହିଥିଲେ। ପୁଲିସ ବିଭିନ୍ନ ତଥ୍ୟକୁ ଆଧାର କରି ତଦନ୍ତ ଜାରି ରଖିଥିଲା। ରାଜେଶ ସ୍ଥାନୀୟ ଅଞ୍ଚଳରେ ଶସ୍ତାରେ ମୋବାଇଲ ଫୋନ ଦେଉଥିବା ପୁଲିସ ଜାଣିବାକୁ ପାଇଥିଲା। ରାଜେଶର ଠିକଣା ଠାବ ପରେ ପୁଲିସ ଖୋର୍ଦ୍ଧା ସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜରୁ ତାକୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ସେ ମୋବାଇଲ ଚୋରି କରିଥିବା ମାନିଥିଲା। ଏହାପରେ ପୁଲିସର ଏକ ଟିମ୍‌ ରାଜେଶକୁ ଭଦ୍ରକ ନେଇ ସେଠାରୁ ସମସ୍ତ ମୋବାଇଲ ଫୋନ ଜବତ କରିଥିଲା। ଆଜି ପୁଲିସ ତାକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର