ବବୁଲ୍‌ ଗୁଳିମାଡ଼ ମାମଲା: ଜେଲ୍‌ ଗଲା ମୋଷ୍ଟ ୱାଣ୍ଟେଡ୍‌ ବେଲିଆ

ଖଣ୍ଡଗିରି: ୪ ତାରିଖ ଭୋର୍ ସମୟରେ ପୁଲିସ ଗୁଳିରେ ଆହତ ହୋଇ ଚିକିତ୍ସାଧୀନ ଥିବା କୁଖ୍ୟାତ ବେଲିଆକୁ ସୋମବାର କୋର୍ଟଚାଲାଣ କରାଯାଇଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଖୋର୍ଧା ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିବା ବେଲିଆକୁ ରିମାଣ୍ଡରେ ନେବା ପାଇଁ ଖୁବ୍‌ ଶୀଘ୍ର ଅଦାଲତରେ ଆବେଦନ କରାଯିବ ବୋଲି ସୂଚନା ମିଳିଛି। ବୋଲଗଡ଼ ସୁନାଖଳା ହାଟପଦାର ବେଲିଆ ୨୦୧୪ ମସିହାରୁ ଖୋର୍ଧା ପୁଲିସର ନିଦ ହଜାଇ ଦେଇଥିଲା। ସେହି ବର୍ଷ ତା’ ଗ୍ୟାଙ୍ଗ୍‌ ଖୋର୍ଧା ଟାଙ୍ଗୀ କଇଁଥାପଲ୍ଲୀ ଛକରେ ଏସ୍‌ବିଆଇ ଗାଡ଼ିକୁ ଅଟକାଇ ସୁରକ୍ଷାକର୍ମୀଙ୍କୁ ଗୁଳି ମାଡ଼ କରି ୬୦ ଲକ୍ଷ ଟଙ୍କା ଲୁଟ୍‌ କରିଥିଲା। ପରେ ୨୦୧୮ ମସିହାରେ ଖୋର୍ଧା ପଲା ଛକରେ ବବୁଲ୍‌କୁ ଗୁଳିମାଡ଼ କରି ଫେରାର୍ ହୋଇଯାଇଥିଲା। ଡକାୟତିଠାରୁ ଆରମ୍ଭ କରି ସୁପାରି ନେଇ ହତ୍ୟାକାଣ୍ଡ ଘଟାଇବା ଓ ବନ୍ଧୁକ କାରବାର ଭଳି ବଡ଼ ସଂଗିନ୍ ଅପରାଧରେ ବେଲିଆର ସମ୍ପୃକ୍ତି ଥିଲା। ଖୋର୍ଧା ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ହୋଇଯିବା ପରେ ସେ ଗତ କିଛି ଦିନ ହେଲା ରାଜଧାନୀମୁହାଁ ହୋଇଥିଲା। କଳିଙ୍ଗନଗରରେ ଆଡ଼ା ଜମାଇ ସେ ଛିନ୍‌ତାଇ ଆରମ୍ଭ କରିଦେଇଥିଲା। ଗତ ୪ ତାରିଖରେ ସେ କଳିଙ୍ଗନଗର କେ-୭ ଅଞ୍ଚଳକୁ ଆସୁଥିବା ଖବର ପାଇ ଖଣ୍ଡଗିରି ଥାନା ପୁଲିସ ବସନ୍ତ ସାହୁ ଛକରେ ଏନ୍‌କାଉଣ୍ଟର୍‌ କରିଥିଲା।

ସମ୍ବନ୍ଧିତ ଖବର