ବଡ଼ମ୍ବାରେ ହତ୍ୟାକାଣ୍ଡ; ଜଣେ ମୃତ

ବଡ଼ମ୍ବା: ସାମାନ୍ୟ ବଚସାରୁ ବଡ଼ମ୍ବା ଥାନା ମାଣିଆବନ୍ଧ ଫାଣ୍ଡି ଅଧୀନ ବାଙ୍ଗେରିସିଂହା ଶବରସାହି ଗ୍ରାମରେ ଗଣ୍ଡଗୋଳ ଉଗ୍ରରୂପ ନେଇଛି। ଦୁଇ ପରିବାର ମଧ୍ୟରେ ଏହି ଗଣ୍ଡଗୋଳରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ମହିଳାଙ୍କ ସମେତ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ କଟକରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ଦୁଇଜଣଙ୍କୁ ଅଟକ ରଖାଯାଇଥିବା ପୁଲିସ୍‌ କହିଛି। ପୁଲିସ୍‌ର ସୂଚନା ମୁତାବକ, ବୁଧବାର ଅପରାହ୍ନରେ ସାମାନ୍ୟ କଥା କଟାକଟିକୁ ନେଇ ନୂଆ ବାଙ୍ଗେରିସିଂହା ଶବରସାହିର ଗଗନ ବେହେରା ଓ ବେଣୁଧର ଦେହୁରୀଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହି ସମୟରେ ବେଣୁଧର ଦେହୁରୀଙ୍କ ପରିବାର ସଦସ୍ୟ ଓ ସହଯୋଗୀ ଅତର୍କିତ ଭାବେ ଠେଙ୍ଗାବାଡ଼ି, ଟାଙ୍ଗିଆ, କଟୁରୀ ଆଦିରେ ଗଗନ ବେହେରାଙ୍କ ପରିବାରକୁ ଆକ୍ରମଣ କରିଥିଲେ। ଫଳରେ ଗଗନ ବେହେରା(୬୫), ତାଙ୍କ ପତ୍ନୀ ଜେମା ବେହେରା, ପୁଅ ପ୍ରଶାନ୍ତ ଓ ଅନ୍ୟ ଜଣେ ବ୍ୟକ୍ତି ପୁରୁଷୋତ୍ତମ ଦେହୁରୀଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିଲା। ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପ୍ରଥମେ ମାଣିଆବନ୍ଧ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଉଦ୍‌ବେଗଜନକ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଆହତ ଗଗନଙ୍କ ମୃତ୍ୟୁ ଘଟିଥିବା ତଦନ୍ତକାରୀ ଅଧିକାରୀ ତଥା ମାଣିଆବନ୍ଧ ଫାଣ୍ଡି ଓଆଇସି ବସନ୍ତ କୁମାର ଶତପଥୀ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ପରେ କଡ଼ା ସୁରକ୍ଷାରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣା ସଂପର୍କରେ ମୃତ ଗଗନଙ୍କ ପୁଅ ପ୍ରଶାନ୍ତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ୨ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ପୁଲିସ ତନାଘନା ତଦନ୍ତ ଚଳାଇଥିବା ବଡ଼ମ୍ବା ଥାନାଧିକାରୀ ଜ୍ଞାନରଞ୍ଜନ ମିଶ୍ର କହିଛନ୍ତି। ଅପରପକ୍ଷରେ ଆଜି କଟକରୁ ସାଇଣ୍ଟିଫିକ୍‌ ଦଳ ପହଞ୍ଚି ଘଟଣାର ତଦନ୍ତ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର