ଲେଡି ବ୍ଲାକମେଲର  ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ବର: ପୁଣି ଲେଡି ବ୍ଲାକମେଲର  ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଭୁବନେଶ୍ବର ନୟାପଲ୍ଲୀ ଥାନା ମାମଲାରେ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ ଉଭୟଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।  ସିନେ-ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ଏହି  ମାମଲା ହୋଇଥିଲା।

ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍‌ କରି ୩ କୋଟି ଟଙ୍କା ମାଗିଥିବା ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀଙ୍କ ନାମରେ ଅଭିଯୋଗ ହୋଇଥିଲା। ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍ କରି ୩ କୋଟି ଟଙ୍କା ମାଗିବା ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଏବେ ଜେଲରେ ଅଛନ୍ତି।

ଅର୍ଚ୍ଚନା ବିରୋଧରେ ଥାନାରେ ଅକ୍ଷୟ ପରିଜା ଦେଇଥିବା ଏତଲା ଅନୁସାରେ ନିଜକୁ ଆଇନଜୀବୀ ଭାବେ ପରିଚୟ ଦେଇଥିଲେ ଅର୍ଚ୍ଚନା ନାଗ୍। ଜଣେ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିବା କହିଥିଲେ। ସେହି ଯୁବତୀ ତାଙ୍କର ମହକିଲ ବୋଲି ଦାବି କରିଥିଲେ ଅର୍ଚ୍ଚନା। ଟଙ୍କା ନଦେଲେ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଥାନାକୁ ଯିବେ ବୋଲି ଧମକାଇଥିଲେ।ନହେଲେ ସମ୍ମାନହାନି କରିବାର ଓ କ୍ୟାରିୟର ନଷ୍ଟ କରିଦେବାର ଧମକ ଦେଇଥିଲେ। ସମ୍ମାନହାନି ଭୟରେ ବୁଝାମଣା କରିବାକୁ ରାଜି ହୋଇଥିଲେ ଅକ୍ଷୟ ପରିଜା। ଏଥିପାଇଁ ଭୁବନେଶ୍ୱରର ସ୍ୟାଣ୍ଡି ଟାୱାରରେ ଅର୍ଚ୍ଚନାଙ୍କ ସହ ଭେଟ ହୋଇଥିଲା। ମାମଲା ରଫାଦଫା କରିବା ପାଇଁ ୩ କୋଟି ଟଙ୍କା ଦାବି କରିଥିଲେ ଅର୍ଚ୍ଚନା। ଟଙ୍କା ନଦେଲେ ଖଣ୍ଡ ଖଣ୍ଡ କରି କାଟିଦେବା ସହ ଭୁବନେଶ୍ୱର ବାହାରକୁ ଯାଇପାରିବେ ନାହିଁ ବୋଲି ଧମକାଇ ଥିଲେ ଅର୍ଚ୍ଚନା।

ଅର୍ଚ୍ଚନାର କଥାରେ ସନ୍ଦେହ ହେବାରୁ ସେ ନିଜ ଆଡୁ ତଦନ୍ତ କରିଥିଲେ। ତାଙ୍କୁ ହନିଟ୍ରାପରେ ଫସାଇବା ପାଇଁ ଅର୍ଚ୍ଚନା ସେହି ଯୁବତୀଙ୍କୁ ବ୍ୟବହାର କରୁଥିଲେ ବୋଲି ଜାଣିବାକୁ ପାଇଲେ। ପୂର୍ବରୁ ମଧ୍ୟ ବ୍ଲାକମେଲ୍ କରିବା ଉଦ୍ଦେଶ୍ୟରେ ଅର୍ଚ୍ଚନା ଓ ଯୁବତୀ ମିଶି ଅନେକ ଷଡ଼ଯନ୍ତ୍ର କରିଥିଲେ। ଗତ ୨୭ ଅକ୍ଟୋବରରେ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ରହସ୍ୟ ଭେଦ କରିବା ପାଇଁ ଇଡି ଖୋଳତାଡ଼ କରିବା ଆରମ୍ଭ କରିଥିଲା। କମିସନରେଟ୍ ପୁଲିସ ପକ୍ଷରୁ ଅର୍ଚ୍ଚନାଙ୍କ ବିରୋଧରେ ହୋଇଥିବା ଏତଲା କପିଗୁଡ଼ିକ ଇଡିକୁ ହସ୍ତାନ୍ତର କରାଯାଇଥିଲା।

 

ସମ୍ବନ୍ଧିତ ଖବର