ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା: ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନ ଖାରଜ

ଭଦ୍ରକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାରେ ଗିରଫ ହୋଇ ଭଦ୍ରକ ଜେଲରେ ବନ୍ଦି ଥିବା ପୂର୍ବତନ ସୂଚନା ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନକୁ ଭଦ୍ରକ ଜିଲ୍ଲା ଜଜ୍‌ ଖାରଜ କରି ଦେଇଛନ୍ତି।
କ୍ୟାମେରାମ୍ୟାନ ମାନସ ସ୍ବାଇଁ ଗତ ଫେବ୍ରୁଆରି ମାସ ଭଦ୍ରକ ଜିଲ୍ଲାର ପଳାସପୁର ଗ୍ରାମର ଏକ ବାହାଘର ଉତ୍ସବରେ କାମ କରିବାକୁ ଭୁବନେଶ୍ବରରୁ ଆସିଥିଲେ। ୭ ତାରିଖରେ ସୁଟିଂ ସାରି ଭୁବନେଶ୍ବର ଫେରିବା ପାଇଁ ନାଲଗୁଣ୍ଡା ଛକରେ ଅପେକ୍ଷା କରିଥିବା ବେଳେ ପଳାସପୁର ଗ୍ରାମର ସାମ୍ବାଦିକ ଶରତ ପଣ୍ଡା, ସାମ୍ବାଦିକ ଭାଗିରଥି ସେଠୀଙ୍କ ସହଯୋଗରେ ସମ୍ପର୍ଣ୍ଣା ନିୟୁଜର ମାଲିକ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଦୀପକ ଓ ଅନ୍ୟମାନେ ସେଠାରୁ ଅପହରଣ କରି ଭୂବନେଶ୍ବର ଦୟାଲ ବୃଦ୍ଧାଶ୍ରମକୁ ନେଇ ଯାଇଥିଲେ ଓ ମାନସକୁ ଏକ କ୍ଷୁଦ୍ର ଚଳଚ୍ଚିତ୍ରର ଚିପ୍ ଫେରାଇବା ପାଇଁ କହିଥିଲେ। ମାତ୍ର ସେ ନ ଦେବାରୁ ତାକୁ ମାଡ ମାରିଥିଲେ ଓ ମାନସଙ୍କର ମୃତ୍ୟୁ ହୋଇ ଯାଇଥିଲା। ମାନସଙ୍କ ମୃତଦେହକୁ ନୟାଗଡ ଜିଲ୍ଲା ରାଜସୁନାଖଳା ପୁଲିସ ଫାଣ୍ଡି ଅଧିନସ୍ତ ବଧିପାଟଣା ଗ୍ରାମର ଏକ ନିଚ୍ଛାଟିଆ ସ୍ଥାନରେ ଚାଷ ଜମିରେ ପୋତି ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ। ପ୍ରାଥମିକ ଭାବେ ପୁଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ସୂଚନା ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଏ ସବୁ କାମରେ ସହାୟତା କରିଥିଲେ। ତେଣୁ ଗତ ମାର୍ଚ୍ଚ ମାସ ୨୧ ତାରିଖରେ ଗିରଫ କରିଥିଲା। ତା ପରେ ସେହି ମାସ ୨୩ ତାରିଖରେ ଉକ୍ତ ସ୍ପର୍ଷକାତର ମାମଲାଟିକୁ ତଦନ୍ତ ପାଇଁ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।

କ୍ରାଇମ ବ୍ରାଞ୍ଚ ତଦନ୍ତ ବେଳେ ଶର୍ମିଷ୍ଠା ଓ ତାର ସହଯୋଗୀ ଝୁନା ଭୋଇ ସମେତ ମୋଟ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଓ ସମସ୍ତେ ଜେଲ ଭିତରେ ଅଟକ ଥିବା ବେଳେ ସାକ୍ଷୀମାନଙ୍କ ଦ୍ବାରା ଟି.ଆଇ.ପେରେଡ କରାଯାଇଥିଲା।  ସେଠୀଙ୍କ ଜାମିନ ଆବେଦନକୁ ଚାନ୍ଦବାଲି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଖାରଜ କରିବା ପରେ ସେ ଭଦ୍ରକ ଜିଲ୍ଲା ଜଜଙ୍କ କୋର୍ଟରେ ଆବେଦନ କରିଥିଲେ। ସେଠୀଙ୍କ ଓକିଲ ରମଣୀକାନ୍ତ ପଟ୍ଟନାୟକ ପ୍ରାଥମିକ ଭାବେ ଦିଆଯାଇଥିବା ଏତଲାରେ ତାଙ୍କ ନାମ ନ ଥିବାରୁ ସେ ନିର୍ଦ୍ଦୋଶ ଥିବାରୁ ତାଙ୍କୁ ଜାମିନରେ ଛାଡିବାକୁ ନିବେଦନ କରିଥିଲେ ବି ଏହି ଚାଞ୍ଚଲ୍ୟକର ମାମଲାଟିକୁ କ୍ରାଇମ ବ୍ରାଞ୍ଚ ଦ୍ବାରା ତଦନ୍ତ ଚାଲୁ ରହି ଥିବାରୁ ମାନ୍ୟବର ଜିଲ୍ଲା ଜଜ ତାଙ୍କ ଜାମିନ ଦରଖାସ୍ତକୁ ଖାରଜ କରି ଦେଇଛନ୍ତି। ଅନ୍ୟ ପକ୍ଷରେ ଆଜି ପରମେଶ୍ବର ନାୟକ, ଭାଗ୍ୟବାନ ସାହୁ, ନିଲୁ ଓରଫ ବିବେକ ନାୟକ, କୃଷ୍ଣଚନ୍ଦ୍ର ନାୟକଙ୍କ ଜାମିନ ଆବେଦନ ଆଜି ଜିଲ୍ଲା ଜଜଙ୍କ ଅଦାଲତରେ ଶୁଣାଣି ପାଇଁ ଥିଲେ ବି କ୍ରାଇମବ୍ରାଞ୍ଚ ସି.ଡି ନଦେବାରୁ ପରବର୍ତ୍ତି ଶୁଣାଣିକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର