ବଳଦେବଜୀ ଇନ୍‌ଫ୍ରାଷ୍ଟ୍ରକଚର ନର୍ଦେଶକ ଗିରଫ

ଫ୍ଲାଟ ଦେବା ନାଁରେ ୫ କୋଟି ଟଙ୍କା ଠକେଇ

ଭୁବନେଶ୍ୱର: ଫ୍ଲାଟ ଦେବା ନାଁରେ ୫କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ବଳଦେଭଜୀ ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶକ ଦୁର୍ଗା ପ୍ରସନ୍ନ ମିଶ୍ରକୁ ଗିରଫ କରିଛି। ସୂଚନା ମୁତାବକ, ଗତ ୨୦୧୧-୧୨ ମସିହାରେ ଦୁର୍ଗା କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ବଳଦେଭଜୀ ଇନ୍‌ଫ୍ରାଷ୍ଟ୍ରକଚର ନାମରେ ନିଜର ବିଲ୍ଡର ସଂସ୍ଥା ସ୍ଥାପନ କରିଥିଲେ। ଏହା ପରେ ଲୋକମାନଙ୍କୁ ବିଭିନ୍ନ ସ୍କିମ୍‌ ଜରିଆରେ ଲୋଭ ଦେଖାଇ କମ୍‌ ଦାମରେ ଫ୍ଲାଟ ଦେବାକୁ କହିଥିଲେ। ତେବେ ଫ୍ଲାଟ କିଣିବା ପାଇଁ ୨ଶହରୁ ଉର୍ଦ୍ଧ୍ୱଲୋକ ଅଗ୍ରୀମ ଟଙ୍କା ଦେଇ ବୁକିଂ କରିଥିଲେ। ଲୋକମାନଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟ୍‌ କରି ଦୁର୍ଗା ଗାୟବ ହୋଇଯାଇଥିଲେ। ଇତି ମଧ୍ୟରେ ୭ ବର୍ଷ ବିତିଯାଇଥିଲେ ମଧ୍ୟ ଦୁର୍ଗା ଲୋକମାନଙ୍କୁ ନା ଫ୍ଲାଟ ନା ଟଙ୍କା କିଛି ଫେରାଇ ନଥିଲେ। ତେବେ କିଛିଦିନ ତଳେ ପ୍ରିୟବ୍ରତ ପରିଡ଼ା ନାମକ ଜଣେ ଗ୍ରାହକ ଫ୍ଲାଟ ନପାଇବାରୁ ଟଙ୍କା ଫେରସ୍ତ ପାଇଁ ଦୁର୍ଗାଙ୍କୁ କହିଥିଲେ। ହେଲେ ଦୁର୍ଗା ଟଙ୍କା ଫେରସ୍ତ ନେଇ ଆଜିକାଲି କହି ଦିନ ଗଡ଼ାଇଚାଲିଥିଲେ। କିନ୍ତୁ ଟଙ୍କା ଫେରାଇ ନଥିଲେ ଓଲଟି ଧମକ ଦେଇଥିଲେ। ଏନେଇ ପ୍ରିୟବ୍ରତ ଓ ଅନ୍ୟମାନେ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଥିଲେ। ଏନେଇ ଇଓଡବ୍ଲ୍ୟୁ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ଆଜି ଇଓଡବ୍ଲ୍ୟୁ ପ୍ରସନ୍ନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର