ଖଣ୍ଡଗିରି: କୁଖ୍ୟାତ୍ ବାଲାଜୀ ଗ୍ୟାଙ୍ଗ୍ର ଆଉ ଜଣେ ସଦସ୍ୟକୁ ସୋମବାର ରାତିରେ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଚନ୍ଦକା ଥାନା ଜଗନ୍ନାଥପ୍ରସାଦ ଅନ୍ଧାରୁଆର ଦୀପକ ସ୍ୱାଇଁ ଓରଫ୍ ବାବୁ(୨୦)। ଗତ ଅକ୍ଟୋବର ୩୦ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଏକ ରାହାଜାନି ମାମଲାରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ୨ ଜଣଙ୍କୁ ଗିରଫ କରିଥିଲେ ବି ବାବୁ ସେହି ଦିନଠାରୁ ଫେରାର୍ ଥିଲା। ଗତ ରାତିରେ ସେ ଖଣ୍ଡଗିରି ମେଳା ବୁଲିବାକୁ ଆସି ଏକ ଦୋକାନରେ ମଦ ପିଉଥିବା ଖବର ପାଇ ପୁଲିସ ସେଠାରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଭରତପୁର ସତ୍ୟନଗରରେ ରହୁଥିବା ଗଞ୍ଜାମ ବ୍ରହ୍ମପୁର ଗେଟ୍ ବଜାର ଅଞ୍ଚଳର ସୁଶାନ୍ତ ମହାନ୍ତି(୨୦) ଓ ଭରତପୁର ମହାବୀର ବସ୍ତିରେ ରହୁଥିବା ଯାଜପୁର ଜିଲ୍ଲା ବରି ଥାନା ରଟାଳଙ୍ଗର ଜୀବନଜ୍ୟୋତି ସାମଲ(୩୧)। ପୁଲିସ ସେମାନଙ୍କଠାରୁ ଏକ ନକଲି ବନ୍ଧୁକ ସହ ଦୁଇଟି ବାଇକ୍ ଜବତ କରିଥିଲା। ଘଟଣାଦିନ ରାତି ପ୍ରାୟ ୧ଟାରେ ଶ୍ୟାମପୁର ଅଞ୍ଚଳର ମାନସଚନ୍ଦ୍ର ରାଉତ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ସେ କଳିଙ୍ଗଷ୍ଟୁଡିଓ ଛକରେ ପହଞ୍ଚିଥିବାବେଳେ ହଠାତ୍ ୨ଟି ବାଇକ୍ରେ ଆସିଥିବା ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ସେମାନେ ମାନସଙ୍କ ମୁଣ୍ଡରେ ଦୁଇଟି ବନ୍ଧୁକ ଲଗାଇ ବାଇକ୍, ମୋବାଇଲ୍ ଓ ପର୍ସ ଲୁଟି ନେଇ ଫେରାର୍ ହୋଇ ଯାଇଥିଲେ। ଏ ନେଇ ମାନସ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ତଦନ୍ତରୁ ଏହା ସୁଶାନ୍ତର କାଣ୍ଡ ବୋଲି ପୁଲିସ ଜାଣିବା ପରେ ଗତକାଲି ରାତିରେ ଭରତପୁରରେ ଚଢ଼ାଉ କରି ତାକୁ ଗିରଫ କରିଥିଲା। ପରେ ଜୀବନକୁ ମଧ୍ୟ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ମାନସଙ୍କ ବାଇକ୍, ମୋବାଇଲ୍ ଓ ପର୍ସ ମିଳିଥିଲା। ଲୁଟ୍ବେଳେ ସୁଶାନ୍ତ ବ୍ୟବହାର କରିଥିବା ନକଲି ବନ୍ଧୁକ ପୁଲିସ ଜବତ କରିଥିଲା। କିନ୍ତୁ ବାବୁ ଫେରାର୍ ହୋଇଯାଇଥିଲା।
ବାଲାଜୀ ଗ୍ୟାଙ୍ଗ୍ ଅପରାଧର ଲମ୍ବା ଫର୍ଦ
ସୁଶାନ୍ତ ହେଉଛି ବାଲାଜୀ ଗ୍ୟାଙ୍ଗ୍ର ପ୍ରମୁଖ ସଦସ୍ୟ। ୨୦୧୫ ମସିହାରୁ ବ୍ରହ୍ମପୁରରେ ଏକ ଜୁଲଏର୍ସରୁ ବିପୁଳ ସୁନା ଗହଣା ଲୁଟ୍ କରିବା ପରେ ଏହି ଗ୍ୟାଙ୍ଗ୍ ରାଜଧାନୀ ମୁହାଁ ହୋଇଥିଲା। ୨୦୧୬ ମସିହାରେ ଜଟଣୀର ମୋହରିରଙ୍କୁ ହାଣି ୬ ଲକ୍ଷ ଟଙ୍କା ଲୁଟ୍ କରିଥିଲା ଏହି ଗ୍ୟାଙ୍ଗ୍। ସେହିବର୍ଷ ଡିସେମ୍ବର ୨୫ ରାତିରେ ଏହି ଗ୍ୟାଙ୍ଗ୍ ରାଜଧାନୀ କଲେଜ ନିକଟ ହମ୍ପସ୍ରେ ଡୁମୁଡୁମାର ମୋବାଇଲ୍ ଭାଉଚର୍ ବ୍ୟବସାୟୀ ରଣଜିତ ମାଝୀଙ୍କୁ ଗୁଳି କରି ଲକ୍ଷାଧିକ ଟଙ୍କାର ମାଲ୍ ଲୁଟି ନେଇଥିଲେ। ପରେ ପରେ ଜାନୁଆରି ୧୦ ତାରିଖ ସନ୍ଧ୍ୟା ବେଳଟାରେ ଜନଗହଳିପୂର୍ଣ ଆଇଗିଣିଆ ଆଳୁଗଦି ନିକଟରେ ଜଣେ ବ୍ୟବସାୟୀଙ୍କ ମ୍ୟାନେଜର ପ୍ରତାପ ପରିଜାଙ୍କ ଉପରକୁ ବୋମାମାଡ଼ କରି ଏହି ଗ୍ୟାଙ୍ଗ୍ ୨୪ ହଜାର ଟଙ୍କା ଓ ବାଇକ୍ ଲୁଟି ନେଇଥିଲେ। ତେବେ ୧୭ ତାରିଖରେ ଖଣ୍ଡଗିରି ଥାନା ପୁଲିସ ବାଲାଜୀ ସମେତ ଚନ୍ଦନ, କିରଣ, ଅମରଜିତ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଦୀର୍ଘ ୨ ବର୍ଷ ପରେ ଗଞ୍ଜାମରୁ ରାଜଧାନୀ ଯାଏ ପୁଲିସର ମୋଷ୍ଟ ଓ୍ଵାଣ୍ଟେଡ୍ ବାଲାଜୀ ପ୍ରଥମ ଥର ପାଇଁ ଗିରଫ ହୋଇଥିଲା। ତେବେ ସୁଶାନ୍ତ ଖସି ଯାଇଥିଲା। ବାଲାଜୀ ଜେଲ୍ରେ ଥିଲେ ବି ବାହାରେ ଗ୍ୟାଙ୍ଗ୍ କାମ କରୁଥିଲା। ମାର୍ଚ୍ଚ ମାସରେ ସୁଶାନ୍ତ ଓ ତା’ର କିଛି ସହଯୋଗୀ ଫୁଲେଶ୍ୱରୀ ବସ୍ତିରୁ ଫେରୁଥିବା ଜଣେ ଫାଇନାନ୍ସ କମ୍ପାନିର ଏଜେଣ୍ଟ ଭବାନୀଶଙ୍କର ପଣ୍ଡାଙ୍କୁ ଆକ୍ରମଣ କରି ଲୁଟିଥିଲେ। ଏହି ମାମଲାରେ ଖଣ୍ଡଗିରି ଥାନା ପୁଲିସ ସୁଶାନ୍ତ ସହ ଗ୍ୟାଙ୍ଗର ମହିଳା ସଦସ୍ୟ ତଥା ସମସ୍ତଙ୍କ ଭାଉଜରାଣୀ ରୁନୁ ସ୍ୱାଇଁଙ୍କୁ ଗିରଫ କରିଥିଲା। ଏମିତିରେ ବାଲାଜୀ ଗ୍ୟାଙ୍ଗ୍ର ଅପରାଧ ଇତିହାସ ବେଶ୍ ଲମ୍ବା। ଏବେ ବି କିଛି ସଦସ୍ୟ ବାହାରେ ରହି ଲୁଟତରାଜ୍ ଚଳାଇଛନ୍ତି।