କଟକ: କଟକ ମହାନଗରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବୃଦ୍ଧ ଦମ୍ପତି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ କାବୁ କରିଛି ପୁଲିସ। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଏହି ବ୍ୟକ୍ତି ଜଣକ ଏକଦା ବୃଦ୍ଧ ଦମ୍ପତିଙ୍କ ଘରେ ଭଡ଼ାରେ ରହୁଥିଲା। ତା’ ଘର ବ୍ରହ୍ମପୁର ଅଞ୍ଚଳରୁ ପୁଲିସ୍‌ ତାକୁ ଉଠାଇ ଆଣିଛି। ସ୍ଥାନୀୟ ଅଞ୍ଚଳର ତିନି ଜଣ ବ୍ୟକ୍ତି ମଧ୍ୟ ତା’ ସହିତ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଜଣାପଡ଼ିଛି। ସେମାନେ ମଧ୍ୟରୁ ୨ ଜଣ ପୁଲିସ୍‌ ହାତରେ ଧରାପଡ଼ିଛନ୍ତି। ଗତ ୧୨ ତାରିଖ ସଂଧ୍ୟାରେ ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ବରର ବାସିନ୍ଦା ବୃଦ୍ଧ ଦମ୍ପତି ଶ୍ରୀନାଥ ସାମଲ ଓ ବିଦୁଲତା ସାମଲଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଘଟଣା ପରଠାରୁ ପ୍ରାୟ ୫ ଦିନ ଧରି ପୁଲିସ ବିଭିନ୍ନ ଦିଗକୁ ଛାନଭିନ୍ କରି ଚାଲିଥିଲେ ବି ସ୍ଥିତି ସ୍ପଷ୍ଟ ହୋଇ ପାରୁ ନଥିଲା। ପାରିବାରିକ ବିବାଦ, ସୁଧ କାରବାର ଓ କୌଣସି ଗୁରୁତର ବିବାଦୀୟ ଘଟଣା ହତ୍ୟାକାଣ୍ଡର କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଥିଲା। ଶେଷରେ ତଦନ୍ତରୁ ଘର ଭଡ଼ା ନେଇ ଯେଉଁ ବ୍ୟକ୍ତି ରହୁଥିଲେ, ହତ୍ୟାକାଣ୍ଡ ଦିନ ଯାଏ ସେ ନିଜର ସବୁ ସାମଗ୍ରୀ ନେଇନଥିଲେ। କିନ୍ତୁ ହତ୍ୟାକାଣ୍ଡ ସଂପର୍କରେ ପ୍ରଚାର ହୋଇଥିଲେ ବି ସାମ୍‌ନାକୁ ଆସି ନଥିଲେ। ଏଭଳି ସ୍ଥିତିରେ ମୋବାଇଲ୍ ଫୋନ୍ ଟାୱାର ଡମ୍ପ ଓ ସିଡିଆର ରିପୋର୍ଟରୁ ସନ୍ଦେହ ସ୍ପଷ୍ଟ ହୋଇଥିଲା।

Advertisment

ପୁଲିସ ବ୍ରହ୍ମପୁର ଅଞ୍ଚଳର ସଂପୃକ୍ତ ବ୍ୟକ୍ତିକୁ ଉଠାଇବା ସହିତ ତାକୁ ବିଳମ୍ବିତ ରାତିରେ ଅଜ୍ଞାତ ସ୍ଥାନରେ ରଖି ଜେରା କରୁଛି। ତା’ଠାରୁ ମିଳିଥିବା ସୂଚନା ଆଧାରରେ ହତ୍ୟାକାଣ୍ଡରେ ସଂପୃକ୍ତ ସ୍ଥାନୀୟ ଅଞ୍ଚଳର ଦୁଇ ଜଣଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଛି। ଏହିଭଳି ବର୍ବର କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଥିବାବେଳେ ପୁଲିସ ଏ ସଂପର୍କରେ ଆଗକୁ ସ୍ପଷ୍ଟ ସୂଚନା ଦେବ ବୋଲି କହିଛି।