ଭିଜିଲାନ୍ସ ଜାଲରେ ସରକାରୀ ଅମିନ

୧୮ଟି ପ୍ଲଟ୍‌, ନଗଦ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଜବତ

ବାଲିଅନ୍ତା : ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଆଜି ବାଲିିଅନ୍ତା ତହସିଲ୍‌ରେ କାର୍ଯ୍ୟରତ ସରକାରୀ ଅମିନ୍‌ ଫକୀର ମୋହନ ଜେନାଙ୍କ ଘରେ ଅତିର୍କିତ ଚଢ଼ଉ କରାଯାଇ କୋଟିଏରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସ୍ଥାବର ଓ ଅସ୍ଥାବର ସଂପତ୍ତି ଜବତ କରାଯାଇଛି। ଫକୀରମୋହନଙ୍କ ସମେତ ତାଙ୍କ ପତ୍ନୀ, ପୁଅ ଏବଂ ଝିଅଙ୍କ ନାମରେ ଭୁବନେଶ୍ୱର, ପୁରୀ ତଥା ଅନ୍ୟ ସ୍ଥାନରେ ୧୮ଟି ପ୍ଲଟ୍‌ ଥିବା ସୂଚନା ମିଳିଛି। ଏଥିସହିତ ୨୪୬ ଗ୍ରାମ୍‌ ସୁନା ଓ ରୁପା ଅଳଙ୍କାର ସହିତ କାର୍‌, ୨ଟି ସ୍କୁଟି ଏବଂ ୨ଟି ବାଇକ୍‌କୁ ମଧ୍ୟ ଜବତ କରାଯାଇଛି। ସେହିପରି ବିଭିନ୍ନ ବ୍ୟାଙ୍କରେ ଥିବା ପାସ୍‌ବୁକ୍‌ ଓ ସ୍ଥାୟୀ ଜମାରାଶି କାଗଜପତ୍ରକୁ ମଧ୍ୟ ଭିଜିଲାନ୍ସ ଟିମ୍‌ ଜବତ କରିଛି।

ଭିଜିଲାନ୍ସ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଫକୀରମୋହନ ପ୍ରଥମେ ଜଣେ ଠିକା କର୍ମଚାରୀ ଭାବେ ସରକାରୀ କାର୍ଯ୍ୟାଳୟରେ କାମ ଆରମ୍ଭ କରିଥିଲେ। ୨୦୧୫ରେ ସେ ସରକାରୀ ଅମିନ ଭାବେ ନିୟମିତ ହୋଇ ପୁରୀ ବନ୍ଦୋବସ୍ତ କାର୍ଯ୍ୟାଳୟକୁ ବଦଳି ହୋଇଥିଲେ। ଗତ ୯ ମାସ ତଳେ ସେ ପୁନର୍ବାର ବାଲିଅନ୍ତା ତହସିଲ୍‌କୁ ଡେପୁଟେସନ୍‌ରେ ଆସିଥିଲେ। ଆଜି ସକାଳ ପ୍ରାୟ ୬ଟା ବେଳେ ଭିଜିଲାନ୍ସ ବିଭାଗର ୪ଟି ଟିମ୍‌ ଏକସଙ୍ଗେ ଫକୀରମୋହନ ରହୁଥିବା ଭୁବନେଶ୍ୱର ବ୍ରହ୍ମେଶ୍ୱର ପାଟଣାସ୍ଥିତ ଘର ଏବଂ ପୁରୀର ୨ଟି ଘର ସମେତ ଏକାଧିକ ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ନଗତ ଲକ୍ଷେ ୯୭ ହଜାର ଟଙ୍କା ସହିତ ଅନ୍ୟ ଆୟ ବହିର୍ଭୂତ ସମ୍ପତ୍ତିକୁ ଜବତ କରାଯାଇଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର