ଜାଲିଆତି କରି ବ୍ୟାଙ୍କରୁ ୩ କୋଟି ଠକେଇ, ନକଲି ହିନ୍ଦୀ ଶିକ୍ଷକ ଗିରଫ

ଭୁବନେଶ୍ବର: କାଗଜପତ୍ରରେ ଜାଲିଆତି କରି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କଟକ ବିଲହାଟ ବ୍ରାଞ୍ଚ୍‌ରୁ ୩ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା ଜଣେ ନକଲି ହିନ୍ଦୀ ଶିକ୍ଷକକୁ ଗିରଫ କରିଛି। ସେ ହେଲା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଟିକନପୁର ଅଞ୍ଚଳର ଦେବଦତ୍ତ ସାମନ୍ତରାୟ(୪୭)। ଗିରଫ ପରେ ତାଙ୍କୁ କଟକ ସଦର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଛି। ସୂଚନା ମୁତାବକ, ୨୦୧୧-୧୨ରେ ଦେବଦତ୍ତ ଏବଂ ତାର ସହଯୋଗୀମାନେ କାଗଜପତ୍ରରେ ଜାଲିଆତି କରି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କଟକ ବିଲହାଟ ବ୍ରାଞ୍ଚ୍‌ରୁ ଋଣ ନେବା ପାଇଁ ଯୋଜନା କରିଥିଲେ। ଅଭିଯୁକ୍ତମାନେ କେଜିବି ପର୍ସନାଲ୍‌ ଲୋନ୍‌ ସ୍କିମ୍‌ରେ ବ୍ୟାଙ୍କରୁ ଋଣ ନେଇଥିଲେ। ୧୪୮ଟି ନକଲି କାଗଜପତ୍ର ଦେଇ ସେଥିରେ ନିଜକୁ ୟୁପି, ଏମ୍‌ଇି ଏବଂ ହାଇସ୍କୁଲ୍‌ର ଶିକ୍ଷକ ଦର୍ଶାଇ ୨କୋଟି ୯୬ଲକ୍ଷ ଟଙ୍କା ନେଇଥିଲେ। ଦେବଦତ୍ତ କାଗଜପତ୍ରରେ ଜାଲିଆତି କରି ନିଜକୁ କେନ୍ଦ୍ରାପଡ଼ା ଜିଲ୍ଲା ରାଇଚନ୍ଦ ବାଳିକା ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ବୋଲି ଦର୍ଶାଇଥିଲେ। ଏହି ନକଲି କାଗଜପତ୍ର ଜରିଆରେ ୨୦୧୧ ଜୁନ୍‌ ୪ ତାରିଖରେ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଋଣ ନେଇଥିଲେ। କାଗଜପତ୍ର ଯାଞ୍ଚ ବେଳେ ଘଟଣା ପଦାକୁ ଆସିଥିଲା। ଏନେଇ ବ୍ୟାଙ୍କ ମ୍ୟାନେଜର୍‌ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ପ୍ରକାଶ ଥାଉ କି ଏହି ମାମଲାରେ ଇଓଡବ୍ଲ୍ୟୁ ପୂର୍ବରୁ ବ୍ୟାଙ୍କ ମ୍ୟାନେଜର ଓ ଫିଲ୍ଡ ଅଫିସରଙ୍କ ସମେତ ୧୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାଛଡ଼ା ବିଭିନ୍ନ ତାରିଖରେ ଇଓଡବ୍ଲ୍ୟୁ ୭୪ଜଣ ଅଭିଯୁକ୍ତଙ୍କୁ ଗରିଫ କରିଛି।

ସମ୍ବନ୍ଧିତ ଖବର