ବ୍ୟାଙ୍କରେ ବିନା ମାସ୍କରେ ପହଞ୍ଚିଲେ ରେଳ କର୍ମଚାରୀ, ସିକ୍ୟୁରିଡି ଗାର୍ଡ ମାରିଦେଲେ ଗୁଳି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବାରମ୍ବାର ସରକାର ଓ ଅନ୍ୟ ସଂସ୍ଥା ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରୁଛନ୍ତି। କିନ୍ତୁ ଉତ୍ତର ପ୍ରଦେଶ ବରେଲିରେ  ଜଣେ ବ୍ୟକ୍ତି ମାସ୍କ ପିନ୍ଧି ନଥିବାରୁ ତାଙ୍କୁ ସୁରକ୍ଷା କର୍ମଚାରୀ ଗୁଳି ମାରି ଦେଇଥିବା ଜଣାପଡ଼ିଛି। ଗୁଳି ମାଡ଼ ଖାଇଥିବା ବ୍ୟକ୍ତି ଜଣକ ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବରେଲି କୋତବାଲି ଅଞ୍ଚଳର ରେଳ କର୍ମଚାରୀ ରାଜେଶ ବ୍ୟାଙ୍କ ଅଫ ବରଦାର ଶାଖାକୁ କାମ ପାଇଁ ଯାଇଥିବା ବେଳେ ମାସ୍କ ପିନ୍ଧି ନଥିଲେ। ଏହାକୁ କେନ୍ଦ୍ର କରି ବ୍ୟାଙ୍କ ସୁରକ୍ଷାକର୍ମୀଙ୍କ ସହିତ ରାଜେଶଙ୍କ କଥା କଟାକଟି ହୋଇଥିଲା। ଏହାପରେ ସୁରକ୍ଷାକର୍ମୀ ଜଣଙ୍କ ରାଗି ଯାଇ ଉକ୍ତ ବ୍ୟକ୍ତିଙ୍କ ଉପରେ ଗୁଳି ଚଳାଇଥିଲେ। ଅଭିଯୁକ୍ତ ସୁରକ୍ଷାକର୍ମୀ ନାମ କେଶବ ବୋଲି ଜଣାପଡ଼ିଛି। କେଶବ ଚଲାଇଥିବା ଗୁଳି ରାଜେଶଙ୍କ ଗୋଡ଼ରେ ବାଜିବା ପରେ ସେ ଚଟଣାରେ ଟଳି ପଡ଼ିଥିଲେ।

ଏହି ଘଟଣା ପରେ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ରାଜେଶଙ୍କୁ ସଙ୍ଗେସଙ୍ଗେ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗିରଫ ହୋଇଥିବା ଗାର୍ଡ ଜଣକ ଜାଣିଶୁଣି ଗୁଳି ଚଲାଇ ନଥିବା ପୁଲିସ ଆଗରେ କହିଛନ୍ତି।

ସମ୍ବନ୍ଧିତ ଖବର