ଜାଲିଆତି କରି ବ୍ୟାଙ୍କରୁ କୋଟିଏରୁ ଊର୍ଧ୍ବ ଟଙ୍କା ଠକେଇ : ପୂର୍ବତନ ବ୍ୟାଙ୍କ ମ୍ୟାନେଜର୍‌ଙ୍କ ସମେତ ୪ ଗିରଫ

ଭୁବନେଶ୍ବର : ଜାଲିଆତି କରି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରସୁଲଗଡ଼ ଶାଖାରୁ କୋଟିଏରୁ ଊର୍ଧ୍ବ ଟଙ୍କାର ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧଶାଖା ପୂର୍ବତନ ବ୍ୟାଙ୍କ ମ୍ୟାନେଜର୍‌ଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ‌ହେଲେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର୍‌ ପ୍ରଶାନ୍ତ କୁମାର ଜେନା, ଶିଶୁପାଳଗଡ଼ ଅଞ୍ଚଳର ମଦନମୋହନ ପ୍ରଧାନ ଏବଂ ଗଙ୍ଗୋତ୍ରୀ ନଗର ଅଞ୍ଚଳର ବିକ୍ରମ କେଶରୀ ପ୍ରଧାନ ଓ ତାଙ୍କ ପତ୍ନୀ ରାଜଲକ୍ଷ୍ମୀ ପ୍ରଧାନ। ଗିରଫ ପରେ ଅଭିଯୁକ୍ତମାନଙ୍କୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା।

ସୂଚନା ମୁତାବକ, କିଛିମାସ ତଳେ ବିକ୍ରମ, ରାଜଲକ୍ଷ୍ମୀ ଏବଂ ମଦନମୋହନ କାଗଜପତ୍ରରେ ଜାଲିଆତି କରି ରସୁଲଗଡ଼ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଋଣ ନେବା ପାଇଁ ଯୋଜନା କରିଥିଲେ। ତେବେ ଅଭିଯୁକ୍ତମାନେ ଟାଟା ହାଇୱା ଓ ସ୍କର୍ପିଓ କିଣିବା ପାଇଁ ୨.୦୨କୋଟି ଟଙ୍କାର ଋଣ ଆବେଦନ କରିଥିଲେ। ବ୍ୟାଙ୍କ ମ୍ୟାନେଜର୍‌ ପ୍ରଶାନ୍ତଙ୍କ ସହଯୋଗରେ ଏହି ଋଣ ମଞ୍ଜୁର ହୋଇଥିଲା। ଅଭିଯୁକ୍ତମାନେ କୌଣସି ଗାଡ଼ି ନକିଣି ଜାଲିଆତି କରି ଆକ୍ସିସ୍‌ ବ୍ୟାଙ୍କରେ ଏକ ଫେକ୍ ଆକାଉଣ୍ଟ ଖୋଲି ଏକ କୋଟି ୨୬ଲକ୍ଷ ୭୦ ହଜାର ଟଙ୍କା ନେଇଯାଇଥିଲେ। ବିକ୍ରମ ବ୍ୟାଙ୍କରୁ ୪୧.୭୦ଲକ୍ଷ ଟଙ୍କା ଓ ୩୬ଲକ୍ଷ ଟଙ୍କାର ଦୁଇଟି ଋଣ ରାଶି ‌ନେଇଥିବା ବେଳେ ରାଜଲକ୍ଷ୍ମୀ ୯ଲକ୍ଷ ଟଙ୍କା ଓ ମଦନମୋହନ ୪୦ ଲକ୍ଷ ଟଙ୍କା ନେଇଥିଲେ। କିସ୍ତି ବାବଦକୁ ଟଙ୍କା ନମିଳିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସନ୍ଦେହ ହୋଇଥିଲା। ପରବର୍ତ୍ତୀ ସମୟରେ ଜଣପଡ଼ିଥିଲା ଯେ, ଅଭିଯୁକ୍ତମାନେ ଚଞ୍ଚକତା କରି ବ୍ୟାଙ୍କରୁ ଟଙ୍କା ନେଇଛନ୍ତି। ଘଟଣା ଜଣାପଡ଼ିବା ପରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଆଞ୍ଚଳିକ ମହା ପ୍ରବନ୍ଧକ ଦେବଦତ୍ତ ନନ୍ଦ ଗତ ୩ ତାରିଖରେ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ କେସ୍‌ ନଂ-୨୩ରେ ଆଇପିସି ଦଫା ୪୨୦,୪୦୬,୪୬୭,୪୬୮,୪୭୧ ଏବଂ ୧୨୦(ଖ)ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧିତ ଖବର