ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ହେତୁ ରୋଗରେ ପୀଡ଼ିତ ବୃଦ୍ଧ ସାରା ରାତି ଲକରରେ ବନ୍ଦ ରହିଥିଲେ

ନୂଆଦିଲ୍ଲୀ: ଏଯାବତ ଆପଣ ଲୋକଙ୍କୁ ବ୍ୟାଙ୍କ ଲକରରେ ମୂଲ୍ୟବାନ ସାମଗ୍ରୀ ଓ ଗହଣା ରଖୁଥିବା ଶୁଣିବାକୁ ପାଇଥିବେ। କିନ୍ତୁ କେବେ ଜଣେ ବ୍ୟକ୍ତି ପୂରା ରାତି ଅର୍ଥାତ ପାଖାପାଖି ୧୫-୧୭ ଘଣ୍ଟା ବ୍ୟାଙ୍କ ଲକରରେ ବନ୍ଦ ରହିଥିବାର ଘଟଣା ଶୁଣିଛନ୍ତି।

ଏମିତି ଏକ ଘଟଣା ହାଇଦ୍ରାବାଦର ଜୁବଲି ଅଞ୍ଚଳରେ ଘଟିଛି। ଯେଉଁଠାରେ ବ୍ୟାଙ୍କ କର୍ମଚାରୀ ଜଣେ ୮୩ବର୍ଷୀୟ ବୃଦ୍ଧଙ୍କୁ ଲକରରେ ବନ୍ଦ କରି ଚାଲି ଯାଇଥିଲେ। ବୃଦ୍ଧ ଜଣକ ସାରା ରାତି ସେମିତି ହିଁ ଲକରରେ ବନ୍ଦ ରହିଥିଲେ। ସକାଳେ ପୁଣିଥରେ ବ୍ୟାଙ୍କ ଖୋଲିବା ପରେ ସେ ବାହାରକୁ ବାହାରିଥିଲେ।

ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ହେତୁ ଜଣେ ମଧୁମେହ ଓ ଅନ୍ୟାନ୍ୟ ରୋଗରେ ପୀଡିତ ବୃଦ୍ଧଙ୍କୁ ପୂରା ରାତି ବ୍ୟାଙ୍କ ଲକରରେ ରହିବାକୁ ପଡ଼ିଥିଲା।

ବି କୃଷ୍ଣା ରେଡ୍ଡି ନାମକ ଜଣେ ବୃଦ୍ଧ ଗତ ସୋମବାର ପାଖାପାଖି ୪.୩୦ରେ ବଞ୍ଜାରା ହିଲ୍ସ ଅଞ୍ଚଳରେ ଥିବା ୟୁନିୟନ ବ୍ୟାଙ୍କ ଶାଖା ଲକରରୁ ତାଙ୍କର କିଛି ସାମଗ୍ରୀ ନେବାକୁ ଯାଇଥିଲେ। ଏହି ସମୟରେ ବ୍ୟାଙ୍କ ବନ୍ଦ ହୋଇଯାଇଥିଲା। ବ୍ୟାଙ୍କ ବନ୍ଦ ହେଉଥିବା ବୃଦ୍ଧ ଜଣକ ଜାଣି ପାରି ନଥିଲେ।

ବି କୃଷ୍ଣା ରେଡ୍ଡି ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକ ଏନେଇ ପୁଲିସରେ ଅଭିଯୋଗ କରିଥିଲେ। ମଙ୍ଗଳବାର ସକାଳେ ଯେତେବେଳେ ବ୍ୟାଙ୍କ ଖୋଲିଥିଲା ବ୍ୟାଙ୍କ କର୍ମଚାରୀ ଲକର ରୁମ ଭିତରେ ବୃଦ୍ଧଙ୍କୁ ପାଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କିଛି ଲୋକ ବ୍ୟାଙ୍କ କର୍ମଚାରୀଙ୍କ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର