ସୟଦ୍‌ ମୁୁମ୍‌ତାଜ୍‌ ଓରଫ୍‌ ବାପି ମୃତ୍ୟୁ ମାମଲା : ପୁଲିସକୁ ଚକ୍‌ମା ଉଦ୍ୟମ ପଣ୍ଡ, ଗିରଫ କଲା କଟକ ପୁଲିସ

ଖଣ୍ଡଗିରି : ସ୍ଥାନୀୟ ଅଞ୍ଚଳର କୁଖ୍ୟାତ ଅପରାଧୀ ସୟଦ୍‌ ମୁମ୍‌ତାଜ୍‌ ଅଲ୍ଲୀ ଓରଫ୍‌ ବାପି ପୁଲିସକୁ ଚକ୍‌ମା ଦେଖାଇବାକୁ କରିଥିବା ଉଦ୍ୟମ ପଣ୍ଡ ହୋଇଛି। ନିଜକୁ ମୃତ ବୋଲି ଦର୍ଶାଇ ଫେରାର୍‌ ହୋଇଯିବାକୁ କରିଥିବା ଯୋଜନା ଫସର ଫାଟି ଯାଇଛି। ରବିବାର ତାକୁ କଟକ ସଦର ଥାନା ପୁଲିସ ଫୁଲନଖରା ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି ଓ ଜାମିନ୍‌ ନାମଞ୍ଜୁର ହେବା ପରେ ତାକୁ ଚୌଦ୍ୱାର ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏକ ବଡ଼ ଧରଣର ଡକାୟତି ମାମଲାରେ ପୁଲିସ ତାକୁ ଗିରଫ କରିଥିବା ସୂଚନା ମିଳିଛି।

ଗତ ୩ ଦିନ ହେଲା ବାପିର ଦୁଇଟି ଫଟୋ ଭାଇରାଲ୍‌ ହୋଇଥିଲା। ଗୋଟିକରେ ତା’ର ଉଲଗ୍ନ ଶରୀରକୁ କିଛି ଲୋକ ଉଠାଉଛନ୍ତି ଓ ଅନ୍ୟଟିରେ ତା ବେକକୁ ଗାମୁଛାରେ ବାନ୍ଧି କିଛି ଲୋକ ଘୋଷାରି ଘୋଷାରି ଜଙ୍ଗଲକୁ ନେଉଛନ୍ତି। ଫଟୋ ଦୁଇଟିରୁ ବାପି ମୃତ ବୋଲି ଜଣାପଡ଼ୁଥିଲା। ତେଣୁ ବାପିକୁ ହତ୍ୟା କରି ମୃତଦେହକୁ କେଉଁ ଅଜଣା ସ୍ଥାନରେ ଫିଙ୍ଗି ବା ପୋତି ଦିଆଯାଇଛି ବୋଲି ସାଧାରଣରେ ଚର୍ଚା କରାଯାଉଥିଲା। ଏମିତିକି ବୌଦ୍ଧ କିମ୍ବା କନ୍ଧମାଳ ଅଞ୍ଚଳରେ ଚୋରା ଗଞ୍ଜେଇ ବେପାରୀମାନେ ତାକୁ ହତ୍ୟା କରି ଦେଇଛନ୍ତି ବୋଲି କେହି କେହି ଆଲୋଚନା କରୁଥିଲେ। ତେବେ ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ବାପିର ପରିବାର ଲୋକେ କୌଣସି ପ୍ରତିକ୍ରିୟା ପ୍ରକାଶ କରୁ ନଥିଲେ। ତେଣୁ ଏଥିରେ କିଛି ଗଡ଼ବଡ଼ ଅଛି ବୋଲି ମଧ୍ୟ ଲୋକେ ସନ୍ଦେହ କରୁଥିଲେ। ଆଜି ପ୍ରକୃତ କଥା ପଦାକୁ ଆସିଛି। ଫୁଲନଖରା ଅଞ୍ଚଳରେ ଏକ ବଡ଼ ଧରଣର ଲୁଟ୍‌ପାଟ୍‌ ମାମଲାରେ ବାପିକୁ କଟକ ପୁଲିସ ଖୋଜୁଥିଲା। ଧୂର୍ତ ବାପି ନିଜକୁ ମୃତ ବୋଲି ଦର୍ଶାଇ ଫେରାର୍‌ ହେବାକୁ ଯୋଜନା କରିଥିଲା। ତେଣୁ ସେ ଏକ ନାଟକବାଜି କରି ନିଜ ଫଟୋକୁ ଏଭଳି ଭାଇରାଲ୍‌ କରାଇଥିଲା ବୋଲି ଚର୍ଚ୍ଚା ହେଉଛି। ତେବେ ଫଟୋ ଭାଇରାଲ ହୋଇ ବଜାରରେ ପ୍ରଚାରିତ ହେବା ପୂର୍ବରୁ କଟକ ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ବାପି ନାଁରେ ରାଜଧାନୀର ବିଭିନ୍ନ ଥାନାରେ ଲୁଟ୍‌ ମାମଲା ରହିଛି। ବାଇକ୍‌ଠାରୁ ଆରମ୍ଭ କରି ଦୋକାନ ତାଡ଼ି ଲୁଟିବାରେ ବାପି ଓସ୍ତାଦ୍‌।

ସମ୍ବନ୍ଧିତ ଖବର