ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ପ୍ରଥମ କିସ୍ତି ଟଙ୍କା ନେଇ ପ୍ରେମିକମାନଙ୍କ ସହ ଫେରାର ‌ହେଲେ ୪ମହିଳା

ମୁଣ୍ଡରେ ହାତ ଦେଲେ ସ୍ବାମୀ

ବାରବଙ୍କି(ଉତ୍ତରପ୍ରଦେଶ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ପ୍ରଥମ କିସ୍ତି ଟଙ୍କା ନେଇ ପ୍ରେମିକ ସହ ଫେରାର ‌ହେଲେ ୪ମହିଳା। ଏଭଳି ଘଟଣା ଘଟିଛି ୟୁପିର ବାରବଙ୍କିରେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତିରେ ୫୦,୦୦୦ଟଙ୍କା ମିଳିଥିଲା। ଏହି ଟଙ୍କା ମିଳିବା ପରେ ୪ଜଣ ମହିଳା ନିଜ ନିଜର ପ୍ରେମିକଙ୍କ ସହ ସ୍ବାମୀଙ୍କୁ ଛାଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି।

କିସ୍ତି ଟଙ୍କା ହାତକୁ ଆସିବା ମାତ୍ରେ ଚାରିଜଣ ମହିଳା ନିଜ ସ୍ୱାମୀଙ୍କୁ ଛାଡି ନିଜ ପ୍ରେମିକମାନଙ୍କ ସହିତ ଘର ଛାଡ଼ିଛନ୍ତି। ପୀଡିତ ସ୍ୱାମୀମାନେ ଏହାର ଅଭିଯୋଗ କରିବା ପରେ ଜିଲ୍ଲା ନଗର ଉନ୍ନୟନ ଏଜେନ୍ସି (ଡିୟୁଡିଏ)ର ଅଧିକାରୀ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ମିଳିବା ପରେ ବି ନିର୍ମାଣ କାର୍ଯ୍ୟ ଆରମ୍ଭ ନହେବାରୁ ଡିୟୁଡିଏ ୪୦ ହିତାଧିକାରୀଙ୍କୁ ନୋଟିସ୍ ଜାରି କରିଥିଲା। ‌ନୋଟିସ ପାଇବା ପରେ ୪ଜଣ ମହିଳାଙ୍କ ସ୍ୱାମୀ ପୂରା ଘଟଣା ଜଣାଇଥିଲେ। ସ୍ତ୍ରୀମାନେ ଟଙ୍କା ନେଇ ଫେରାର ହୋଇଯାଇଥିବାରୁ ସେମାନେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରିନଥିବା କହିବା ସହ ଯୋଜନାର ଦ୍ବିତୀୟ କିସ୍ତି ରୋକାଯାଉ ବୋଲି ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଏକ ପକ୍କା ଘର ନିର୍ମାଣ ପାଇଁ ସରକାର ଟଙ୍କା ପ୍ରଦାନ କରୁଛନ୍ତି। ଏଥିରେ ପ୍ରଥମ କିସ୍ତିରେ ୫୦ହଜାର ଟଙ୍କା ଦିଆଯାଇଥିଲା। ଏହି ଯୋଜନାର ପ୍ରଥମ କିସ୍ତି ବଙ୍କି, ସିଦ୍ଧୁର, ରାମନଗର ଏବଂ ବେଲହରାର ୪ଜଣ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯାଇଥିଲା। ହେଲେ ପକ୍କା ଘର ନିର୍ମାଣ କରିବା ପରିବର୍ତ୍ତେ ସେହି ଟଙ୍କା ନେଇ ସେମାନେ ନିଜ ପ୍ରେମିକଙ୍କ ସହ ଫେରାର ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର