ନୂଆଦିଲ୍ଲୀ: ବାଡ଼ମେର ଜିଲ୍ଲା ମୁଖ୍ୟାଳୟର ରିକୋ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅନଲାଇନ ପ୍ରେମ ଜଣେ ବିବାହିତ ମହିଳାଙ୍କ ଜୀବନ ନେଇଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବତୀଙ୍କ ନାମ ମୁକେଶ କୁମାରୀ ବୟସ ୩୮ବର୍ଷ ଥିବା ଜଣାପଡ଼ିଛି।

Advertisment

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଝୁନ୍ଝୁନୁର ଚିଦାୱା ନିବାସୀ ମୁକେଶ କୁମାରୀ (୩୮)ଙ୍କ ୨୦୧୫-୧୬ ମସିହାରେ ଛାଡ଼ପତ୍ର ହୋଇଯାଇଥିଲା। ଛାଡ଼ପତ୍ରର କିଛିବର୍ଷ ପରେ ମୁକେଶ କୁମାରୀ ବାଡମେରର ଚାଭା ଗ୍ରାମର ଶିକ୍ଷକ ମନରାମଙ୍କୁ ସୋସିଆଲ ମିଡିଆରେ ଭେଟିଥିଲେ। 

ମୁକେଶ  କିଛିଦିନ ମନରାମଙ୍କ ସହିତ କଥା ହେଉହେଉ ଶିକ୍ଷକଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଦୁହିଁଙ୍କ ମଧ୍ୟରେ ବିବାହ ପର୍ଯ୍ୟନ୍ତ କଥା ପହଞ୍ଚିଲା। ମନରାମ ମଧ୍ୟ ବିବାହିତ। ସ୍ତ୍ରୀଙ୍କ ସହ ଝଗଡ଼ା ହେତୁ ସେ ଅଲଗା ରହୁଥିଲେ।  ମୁକେଶ କୁମାରୀ ମନରାମଙ୍କୁ ବିବାହ କରିବାକୁ ଚାପ ପକାଉଥିଲେ। କିନ୍ତୁ ମନରାମ ଏଥିପାଇଁ ପ୍ରସ୍ତୁତ ନଥିଲେ। ଏହା ପଛରେ କାରଣ ଥିଲା ଯେ ମନରାମଙ୍କର ଛାଡପତ୍ର ହୋଇ ନଥିଲା, ତେଣୁ ସେ ବିବାହକୁ ସ୍ଥଗିତ ରଖିଥିଲେ। 

ମୁକେଶ କୁମାରୀ ସନ୍ଦେହ କରି ମନରାମଙ୍କ ଘରେ ଯାଇ ପହଞ୍ଚି ଯାଇଥିଲେ। ଏଠାରେ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଲାଗିଥିଲା। ଏହି ବିବାଦ ଦୁଇ କିମ୍ବା ତିନି ଦିନ ଧରି ଚାଲିଥିଲା। କ୍ରୋଧର ବଶବର୍ତ୍ତୀ ହୋଇ ମନରାମ ମୁକେଶ କୁମାରୀଙ୍କୁ ହତ୍ୟା କରିଥିଲେ। ହତ୍ୟା ଘଟଣାକୁ ଏକ ଦୁର୍ଘଟଣା ଦେଖାଇବା ପାଇଁ ମୁକେଶ କୁମାରୀଙ୍କ ମୃତଦେହକୁ କାରରେ ରଖି ଏକ ନିର୍ଜନ ସ୍ଥାନରେ ଛାଡ଼ି ଦେଇ ଆସିଥିଲେ ମନରାମ। 

ସ୍ଥାନୀୟଲୋକେ କାରରେ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଥିଲା।  ମୁକେଶ କୁମାରୀଙ୍କ ଆଘାତ ଏବଂ ଅନ୍ୟାନ୍ୟ ପରିସ୍ଥିତିକୁ ଦେଖି ପୁଲିସ ହତ୍ୟା ସନ୍ଦେହ କରିଥିଲା। ଏପଟେ  ମନରାମଙ୍କୁ ସନ୍ଦେହଜନକ ପରିସ୍ଥିତିରେ ଅଞ୍ଚଳରେ ବୁଲୁଥିବାର ଦେଖି ପୁଲିସ ତାଙ୍କୁ ଗିରଫ କରି ପଚରାଉଚରା କରିଥିଲେ।ପୁଲିସ ପଚରାଉଚରା ସମୟରେ ମନରାଗ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିବା ସହିତ ମୁକେଶ କୁମାରୀଙ୍କ ହତ୍ୟା କରିଥିବା ସ୍ୱୀକାର କରିଥିଲେ।