ସ୍ନାନରତ ମହିଳାଙ୍କୁ ଉଣ୍ଡୁଥିବା ଅଭିଯୋଗରେ ବିଜେପି କର୍ମୀ ଗିରଫ

ମୁମ୍ବାଇ: ଜଣେ ସାଧାରଣ ମହିଳା ନିଜର ଘରେ ଥିବା ଗାଧୁଆ ଘରେ ଗାଧୋଉଥିବା ବେଳେ ଜଣେ ବିଜେପି କର୍ମୀ ଉଣ୍ଡୁଥିବାର ଅଭିଯୋଗ ଆସିଛି । ଏହି ଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ମୁଲନ୍ଦ ପୁଲିସ ଥାନା ଅଞ୍ଚଳରେ । ଏହି ଅଭିଯୋଗ ଆସିବାପରେ ପୁଲିସ ଉକ୍ତ ବିଜେପି କର୍ମୀ ପ୍ରଶାନ୍ତ ସିନାରିଙ୍କୁ ଗିରଫ କରିଥିବା ଜଣାଯାଇଛି । ତେବେ ଅଭିଯୁକ୍ତ ପ୍ରଶାନ୍ତ ଏହାକୁ ସଂପୂର୍ଣ୍ଣ ଅମୂଳକ ଓ ମିଥ୍ୟା ଅଭିଯୋଗ ବୋଲି କହିବା ସହ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ପାଇଁ ଷଡଯନ୍ତ୍ର ବୋଲି କହିଛନ୍ତି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ କସ୍ତୁରବା ନଗରର ମାଧବ ମିସ୍ତ୍ରୀ ଚାଲରେ ରହୁଥିବା ଜଣେ ୪୦ ବର୍ଷୀୟା ମହିଳା ଅଭିଯୋଗ ଆଣିଥିଲେ ଯେ ଗତ ଅକ୍ଟୋବର ୨୬ ତାରିଖ ସକାଳେ ନିଜର ଗାଧୁଆ ଘରେ ସ୍ନାନ କରୁଥିବା ବେଳେ ସେହି ରୁମ୍‌ରେ ଥିବା ଏକଜହଷ୍ଟ ଫ୍ୟାନ୍‌ ଝରକା ବାଟେ କେହି ଜଣେ ତାଙ୍କୁ ଉଣ୍ଡୁଥିବାର ଲକ୍ଷ୍ୟ କରିଲେ । ଏହାପରେ ମହିଳା ଜଣକ ଚିତ୍କାର କରିବା ସହ ତାଙ୍କ ସ୍ୱାମୀଙ୍କୁ ତନଖି ଲାଗି କହିଲେ । ତାଙ୍କ ସ୍ୱାମୀ ଜାଣିପାରିଲେ ଯେ ପ୍ରଶାନ୍ତ ସିନାରୀ ହିଁ ଏଭଳି କାର୍ଯ୍ୟ କରିଥିଲେ । ତାଙ୍କୁ ଧରିବାକୁ ସ୍ୱାମୀ ଚେଷ୍ଟା କରୁଥିବା ବେଳେ ପ୍ରଶାନ୍ତ ସେଠାରୁ ଚାଲିଯାଇଥିଲେ । ପ୍ରଶାନ୍ତ ସିନାରି ଉକ୍ତ ମହିଳାଙ୍କର ପଡୋଶୀ ।

ଏହି ଘଟଣା ସଂପର୍କରେ ମୁଲନ୍ଦ ଥାନାରେ ଅଭିଯୋଗ କରିବାପରେ ପୁଲିସ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୩୫୪ ସି ଅନୁଯାୟୀ ଏକ ମାମଲା ରୁଜ୍ଜୁ କରିଥିଲେ ।

ଅପର ପକ୍ଷରେ ଅଭିଯୁକ୍ତ ପ୍ରଶାନ୍ତ ସିନାରି କହିଛନ୍ତି ଯେ ଏହି ଅଭିଯୋଗରେ ଆଦୌ ସତ୍ୟତା ନାହିଁ । ଅଭିଯୋଗକାରିଣୀ ସବୁବେଳେ ତାଙ୍କ ସ୍ତ୍ରୀଙ୍କ ସହିତ ଛୋଟ ଛୋଟ କଥାରେ ଝଗଡ଼ା କରୁଥିଲେ ଓ ତାଙ୍କୁ ଫସେଇବା ଲାଗି ଏଭଳି ମିଥ୍ୟା ଅଭିଯୋଗ ଆଣିଛନ୍ତି । ଏପରିକି କେତେକ ମହିଳାଙ୍କୁ ସାଙ୍ଗରେ ଧରି ଆସି ଅଭିଯୋଗକାରିଣୀ ତାଙ୍କୁ ଚାପୁଡ଼ା ମାରିଥିଲେ ବୋଲି ପାଲଟା ଅଭିଯୋଗ କରିଛନ୍ତି ପ୍ରଶାନ୍ତ ସିନାରି ।

ସମ୍ବନ୍ଧିତ ଖବର